ଭୁବନେଶ୍ୱର(ଚିନ୍ମୟୀ ସ୍ୱାଇଁ):-ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି । କାଲିଠାରୁ ରାଜ୍ୟରେ ବର୍ଷା । ତେବେ ୨୪ ଘଣ୍ଟାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ରରେ ପରିଣତ ସମ୍ଭାବନା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୯ ତାରିଖ ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଓଡିଶାର ୧୩ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।
ସେହିଭଳି ୯ ରୁ ୧୦ ତାରିଖ ମଧ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବା ସହ ବିସ୍ତୃତି ବଢ଼ିବ । ଏଥିପାଇଁ ଉପକୂଳ ଓଡ଼ିଶାର ୮ ଜିଲ୍ଲା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତିନି ଦିନ ମଧ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ୭୦ ରୁ ୧୧୦ ମିଲିମିଟର ପର୍ୟ୍ୟନ୍ତ ବର୍ଷା ହେବ ବୋଲି ଆକଳନ କରାଯାଇଛି ।ଅନ୍ୟପକ୍ଷରେ ଗୋଟିଏ ପଟେ ଲଘୁଚାପ ଦାନା ବାନ୍ଧୁଥିବା ବେଳେ ସ୍ୱାଭାବିକ ଅବସ୍ଥାକୁ ଫେରୁଛି ମୌସୁମୀ ନିମ୍ନ ଚାପରେଖା । ଏବେ ରାଜସ୍ଥାନର ଗଙ୍ଗାନଗରରୁ ବାହାରି ହିସାର, ଗୋରଖପୁର, ପାଟନା, ଜାମସେଦପୁର, ଦିଘା ଦେଇ ପୂର୍ବ-ପକ୍ଷିଣ-ପୂର୍ବ ଦିଗରେ ଉତ୍ତର ପୂର୍ବ ବଙ୍ଗୋପସାଗର ପର୍ୟ୍ୟନ୍ତ ଲମ୍ବିଛି ।