ବର୍ଷା ପାଣିରେ ବେହାଲ କୋଣାର୍କ

(ଜୟନ୍ତ କୁମାର ସେଠୀ)ଗୋପ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରର ବିଭିନ୍ନ ଜାଗାମାନଙ୍କରେ ପାଣି ନିଷ୍କାସନ ପାଇଁ ଯେଉଁ ସବୁ ଡ୍ରେନେଜ ରହିଛି ତାହା ଦୀର୍ଘ ଦିନ ଧରି ସଫା ସୁତରା କରାଯାଉନାହିଁ । ଯାହାର ପରିଣାମ ଆଜି ଭୋଗିବାକୁ ପଡିଛି । ଲଘୁଚାପ ଜନିତ ବର୍ଷାରେ କୋଣାର୍କ ଏବେ ଜଳମଗ୍ନ ହୋଇପଡିଛି । କୋଣାର୍କ ବଜାରର ମୁଖ୍ୟ ରାସ୍ତା ସମେତ ସମସ୍ତ ଅଫିସ, ଶିକ୍ଷାନୁଷ୍ଠାନ , ସାହି ଓ ବସ୍ତି ପରିସରରେ ବର୍ଷାପାଣି ଲହଡି ମାରୁଛି । କୋଣାର୍କ ବଜାରର ଚତୁଃପାଶ୍ୱର୍ରେ ଥିବା ପାଞ୍ଚ କିଲୋମିଟର ବ୍ୟାପି ଡ୍ରେନରେ ଆବର୍ଜନା ପରିପୂର୍ଣ୍ଣ ହୋଇ ରହିଥିବାରୁ ଡ୍ରେନଦେଇ ବର୍ଷାପାଣି ନିଷ୍କାସନ ହୋଇପାରୁନାହିଁ । ସୂର୍ୟ୍ୟମନ୍ଦିର ସମ୍ମୁଖରୁ ଡାକବଙ୍ଗଳା ପର୍ୟ୍ୟନ୍ତ ପୂର୍ତ୍ତ ରାସ୍ତା ଉପରେ ଏକଫୁଟ ଉଚ୍ଚରେ ବର୍ଷାଜଳ ବୁଡିରହି ଥିବାରୁ ପର୍ୟ୍ୟଟକମାନଙ୍କ ଯାତାୟାତରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ବନବିଭାଗ କାର୍ୟ୍ୟାଳୟ ପରିସର, ଆଶ୍ରମ ସ୍କୁଲ, ସରକାରୀ ଉଚ୍ଚ ବିଦ୍ୟାଳୟ, କୋଣାର୍କ ହାଇସ୍କୁଲ, ଜବାହାର ନବୋଦୟ ବିଦ୍ୟାଳୟ ଓ କୋଣାର୍କ ଥାନା ସମେତ ସମସ୍ତ ଅନୁଷ୍ଠାନ ପରିସରରେ ବର୍ଷାପାଣି ଜମିରହିଛି । ଡ୍ରେନଗୁଡିକରେ ଥିବା ଆବର୍ଜନା ରାସ୍ତା ଉପରକୁ ମାଡିଆସି ଚାରିଆଡେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଏନ୍ଏସି କର୍ତ୍ତୃପକ୍ଷ ଡ୍ରେନରୁ ମଇଳା ଆବର୍ଜନା ସଫା ନକରିବାରୁ ଏମିତି ହୁଏ ବୋଲି ବୁଦ୍ଧିଜୀବୀମାନେ କୁହନ୍ତି।