ବଳଙ୍ଗା: ଦୀର୍ଘ ୧୫ ଦିନର ସଂଘର୍ଷ ପରେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଆଉ ଏହାରି ଭିତରେ ପୀଡ଼ିତା ବାପାଙ୍କ ସାଂଘାତିକ ବୟାନ୍ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ସରକାର ଯାହା ସହଯୋଗ କରିବା କଥା କରିଛନ୍ତି । ମାନସିକ ଚିନ୍ତା ଲାଗି ଝିଅ ଜୀବନ ହାରିଛି । ମୋ ଝିଅର ମୃତ୍ୟୁକୁ ନେଇ ରାଜନୀତି କରନାହିଁ ବୋଲି ସେ ଅନୁରୋଧ କରିଛନ୍ତି । ମୋ ଝିଅ ଲାଗି ପ୍ରାର୍ଥନା କରନ୍ତୁ, ତା’ ଆତ୍ମା ଶାନ୍ତି ପାଉ ବୋଲି ସେ ଗଣମାଧ୍ୟମରେ କହିଛନ୍ତି ।
ଅନ୍ୟପଟେ ପୀଡିତାଙ୍କ ମୃତ୍ୟୁ ପରେ ବିସ୍ଫୋରକ ବୟାନ ଦେଇଛି ପୋଲିସ । ସୋସିଆଲ ମିଡିଆ ଏକ୍ସରେ ଚକିତ କଲାଭଳି ସୂଚନା ପ୍ରଦାନ କରି ପୋଲିସ କହିଛି, ବଳଙ୍ଗା ଘଟଣାରେ ପୀଡିତା ଝିଅଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ । ଏହି ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ନିଷ୍ଠାର ସହ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି। ଏଣୁ ସମସ୍ତଙ୍କୁ ଅନୁରୋଧ ଯେ,ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ।
ତେବେ ଗତ ଜୁଲାଇ ୧୯ରେ ପୀଡ଼ିତାଙ୍କୁ ପେଟ୍ରୋଲ ପକାଇ ଜାଳିଦେଇଥିଲେ ୩ ଜଣ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ଭୁବନେଶ୍ଵର ଏମ୍ସରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ପୀଡିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିପ୍ଟ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଥିଲେ ପୀଡିତା । ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ ବାରମ୍ୱାର ପୋଲିସ ବଳଙ୍ଗାରୁ ଦିଲ୍ଲୀ ଯାଏଁ ଛାନଭିନ କରିଥିଲା । ଦିଲ୍ଲୀ ଯାଇ ଚାରି ଚାରି ଥର ପୋଲିସର ବୟାନ ମଧ୍ୟ ରେକର୍ଡ କରିଥିଲା । ହେଲେ ଏଯାଏଁ ଅଭିଯୁକ୍ତଙ୍କ ଟେର୍ ପାଉନି ପୋଲିସ ।