(ଜୟନ୍ତ କୁମାର ସେଠୀ/ଅସ୍ତରଙ୍ଗ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକର କାଦୁଆ, ପ୍ରାଚୀ ଓ ଦେବୀ ନଦୀର ଜଳ, ସମୁଦ୍ରକୁ ନିଷ୍କାସିତ କରୁଥିବା ଅସ୍ତରଙ୍ଗର କେଳୁଣୀ ମୁହାଣ ବନ୍ଦ ଯୋଗୁଁ ବର୍ଷାଜଳ ନିଷ୍କାସିତ ହୋଇ ନପାରି କିଛି ଦିନ ତଳେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିରେ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ ଅସ୍ତରଙ୍ଗ ବ୍ଲକ୍ ଶିଶୁଅ ପଞ୍ଚାୟତ ଅର୍ନ୍ତଗତ ୫ଟି ଗାଁର ଲୋକ ମାନେ । ସେହି ଅଞ୍ଚଳରେ ବସବାସ କରୁଥିବା ଶତାଧିକ ଲୋକେ ତିନି ଦିନ ଧରି ଜଳବନ୍ଦୀରେ ରହିଥିବା ବେଳେ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଯାଇଥିଲା ।
ସୁଚନା ଯେ ଅସ୍ତରଙ୍ଗ ବ୍ଲକ ଅର୍ନ୍ତଗତ ଶିଶୁଅ ପଞ୍ଚାୟତର ଛେନୁ, ତଣ୍ଡାହର, ଉଦୟକଣି, କଟକଣା, କଳମକଣି ଆଦି ପାଞ୍ଚଟି ଗାଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏ ନେଇ ଗତକାଲି ଖବର ପ୍ରସାରଣ ପରେ ଘଟଣା ସ୍ଥଳରେ ଡ୍ରେନେଜ ବିଭାଗର ଏସଡିପିଓ ଏବଂ ଜଣେ କନିଷ୍ଠ ଯନ୍ତ୍ରୀ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ବିଭାଗ ପକ୍ଷରୁ ମୁହାଣ ଖନନ କାର୍ୟ୍ୟ ଆରମ୍ଭ କରିଛନ୍ତି । ଆଜି ସକାଳୁ କେଳୁଣୀ ମୁହାଣ ଫିଟିବା ମାତ୍ରେ ଜଳ ନିଷ୍କାସନ ଆରମ୍ଭ ହୋଇଛି । ବର୍ତ୍ତମାନ ମୁହାଣ ଖୋଲିବା ପରେ ପଞ୍ଚାୟତ ବାସୀ ଖୁସି ବ୍ୟକ୍ତ କରିଛନ୍ତି। ତେବେ ଏ ନେଇ ଦାବି ହୋଇ ଆସୁଥିଲେ ମଧ୍ୟ ସରକାରୀ ବାବୁମାନେ କାହିଁକି ଦୃଷ୍ଟି ଦେଉ ନାହାଁନ୍ତି ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।