ଫନି ପାଇଁ ନୀଳଚକ୍ର ବାନା ବନ୍ଧା ଉପରେ କଟକଣା ଜାରି

(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ବାତ୍ୟା ‘ଫନି’କୁ ନେଇ ଶ୍ରୀମନ୍ଦିର ପ୍ରଶାସନ ସତର୍କତା ଜାରି କରିଛନ୍ତି। ସାମୁଦ୍ରିକ ଝଡ଼ବାତ୍ୟା ପୁରୀକୁ ପ୍ରଭାବିତ କରିବାର ଆଶଙ୍କା ଥିବାରୁ ନୀଳଚକ୍ର ବାନା ବନ୍ଧା ଉପରେ କଟକଣା ଜାରି କରିଛନ୍ତି ମନ୍ଦିର ପ୍ରଶାସନ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ପବନର ବେଗ ଘଣ୍ଟା ପ୍ରତି ୨୦୦ କିଲୋମିଟର ଛୁଇଁପାରେ। ତେଣୁ ନୀଳଚକ୍ରରେ ଅଧିକ ଲମ୍ବର ବାନା ଲାଗିଲେ କମ୍ପନ ଅଧିକ ହେବ। ସେଥି ପାଇଁ ବାନା ଲମ୍ବାକୁ ହ୍ରାସ କରାଯିବ। ଆଜି ବାନା ବନ୍ଧା ଉପରେ କଟକଣା ଜାରି କରି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ମଇ ୧ ତାରିଖଠାରୁ ୫ ତାରିଖ ପର୍ୟ୍ୟନ୍ତ ନୀଳଚକ୍ରରେ ୫ହାତିଆ ବାନା ବାନ୍ଧିବାକୁ ଚୂନରା ସେବକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୀଳଚକ୍ରରେ ବାନା ନରହିଲେ ଠାକୁରଙ୍କ ନୀତି ପ୍ରଭାବିତ ହେବ। ତେଣୁ ଏହାକୁ ଅତି ଶକ୍ତ ଭାବେ ବାନ୍ଧିବାକୁ କୁହାଯାଇଛି। ନୀଳଚକ୍ରରେ ବର୍ତ୍ତମାନ କେବଳ ଗୋଟିଏ ମାତ୍ର ବାନା ଲାଗିବ। ଅନ୍ୟ ବାନାମାଳ ଲାଗିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ତାଙ୍କ ନିର୍ଦ୍ଦେଶ ଦେଇଛନ୍ତି।