“ସିଦ୍ଧୁଙ୍କ ଏପରି ବୟାନ ଗ୍ରହଣଯୋଗ୍ୟ ନୁହେଁ” : ହରିଶ ଚୌଧୁରୀ
ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଅଡ଼ୁଆ କମିବାର ନାଁ ନେଉନି ।
(ଦିଲ୍ଲୀ) : ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଅଡ଼ୁଆ କମିବାର ନାଁ ନେଉନି । ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରିଛନ୍ତି ଏଆଇସିସିର ପଞ୍ଜାବ ଓ ଚଣ୍ଡିଗଡ଼ ଇନଚାର୍ଜ ହରିଶ ଚୌଧୁରୀ। ଏନେଇ ସେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଚିଠି ମଧ୍ୟ ଲେଖିଛନ୍ତି।

ଏପ୍ରିଲ ୨୩ରେ ଶ୍ରୀ ଚୌଧୁରୀ ପଠାଇଥିବା ଚିଠିରେ ଲେଖିଛନ୍ତି ଯେ “ନଭେମ୍ବର ମାସରୁ ଏଯାଏ ପଞ୍ଜାବର ଦଳୀୟ ବ୍ୟାପାରର ଇନଚାର୍ଜ ଭାବେ ମୁଁ ରହିଛି। ଏହି କାର୍ଯ୍ୟକାଳ ସମୟରେ ସିଦ୍ଧୁ ନିୟମିତ ଭାବେ କଂଗ୍ରେସ ସରକାରଙ୍କ କାର୍ଯ୍ୟକୁ ସମାଲୋଚନା କରୁଥିଲେ। ଦଳ ନିର୍ବାଚନ ଲଢ଼ୁଥିବା ବେଳେ ସିଦ୍ଧୁଙ୍କ ଏପରି ବୟାନ ଗ୍ରହଣଯୋଗ୍ୟ ନଥିଲା।

ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସ ଗାଦିଚ୍ୟୁତ ହୋଇଛି। ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ପଞ୍ଜାବ ବିଧାନସଭାର ୧୧୭ ଆସନରୁ ୯୪ରେ ଜିତି ସରକାର ଗଠନ କରିଛି।