ନୂଆଦିଲ୍ଲୀ -ଆମ୍ ଆଦମୀ ପାର୍ଟି ପଞ୍ଜାବରେ ପ୍ରଚଣ୍ଡ ବିଜୟ ହାସଲ କରି ସରକାର ଗଢିବାକୁ ଯାଉଛି। ଆପ୍ର ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ଵନ୍ତ ମାନ ମାର୍ଚ୍ଚ ୧୬ରେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହ ପାଇଁ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଆମନ୍ତ୍ରିତ କରିଛନ୍ତି। ଏଥିସହ ମାନ ଆପ୍ର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିଓ୍ଵାଲଙ୍କ ସହ ମାର୍ଚ୍ଚ ୧୩ରେ ଅମୃତସରରେ ବିଜୟ ଶୋଭାଯାତ୍ରା ବାହାର କରିବେ।ଏହା ପୂର୍ବରୁ ଶୁକ୍ରବାର ଭଗଓ୍ଵନ୍ତ ମାନ ଦିଲ୍ଲୀରେ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଭେଟିଛନ୍ତି। ସେ ମାର୍ଚ୍ଚ ୧୬ରେ ଭଗତ ସିଂହଙ୍କ ପୈତୃକ ଗ୍ରାମ ଖଟକଡରେ ଭଗତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଶପଥ ନେବେ। ମାର୍ଚ୍ଚ ୧୨ରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ। ଭଗଓ୍ଵନ୍ତ ମାନ ଶୁକ୍ରବାର ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ମଧ୍ୟ ଡକାଇଛନ୍ତି।କ୍ଷମତା ସମ୍ଭାଳିବା ମାତ୍ରେ ସରକାରୀ କାର୍ୟ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗୁଥିବା ପରମ୍ପରାକୁ ସମାପ୍ତ କରିବେ। ସେହି ସ୍ଥାନରେ ସହିଦ ଭଗତ ସିଂହ ଏବଂ ସମ୍ବିଧାନ ନିର୍ମାତା ଡ. ଭୀମ ରାଓ ଆମ୍ବେଦକରଙ୍କ ଫଟୋ ଲଗାଯିବ। ଏ ପର୍ୟ୍ୟନ୍ତ ମହଲରେ ଚାଲି ଆସୁଥିବା ସରକାରୀ କାମ ଗାଁ ଏବଂ ଟାଉନରେ କରାଯିବ। ଯୁବକଙ୍କ ହାତରେ ନିଶା ବଟିକା ଜାଗାରେ ଟିଫିନ ବକ୍ସ ରହିବ। ସେମାନଙ୍କୁ ଏବେ ରୋଜଗାର ଦିଆଯିବ।ସେ କହିଛନ୍ତି, ପଞ୍ଜାବରେ ଏହି ବିଜୟ ଆମ୍ ଆଦମୀ ପାର୍ଟିର ହୋଇ ନାହିଁ ବରଂ ସାଧାରଣ ଜନତାଙ୍କ ବିଜୟ ହୋଇଛି। କାରଣ ପଞ୍ଜାବବାସୀ ଦୀର୍ଘ ବର୍ଷ ଧରି କଂଗ୍ରେସ ଏବଂ ଅକାଳି ଦଳକୁ ଅନେକ ସୁଯୋଗ ଦେଇଛନ୍ତି। ହେଲେ ଏହି ଦୁଇ ଦଳ ଜନତାଙ୍କ ଆଶା ଏବଂ ଆକାଂକ୍ଷା ପୂରଣ କରି ପାରି ନାହାନ୍ତି। ପଞ୍ଜାବରେ ବେରୋଜଗାରୀ ମାତ୍ରା ଏତେ ବଢିଗଲା ଯେ, ଯୁବ ବର୍ଗ ନିଶାଖୋର ପାଲଟିଗଲେ। ଏବେ କିନ୍ତୁ ସେମିତି ହେବ ନାହିଁ। ଯୁବ ବର୍ଗଙ୍କ ପାଇଁ ରୋଜଗାର ସୃଷ୍ଟି କରାଯିବ ବୋଲି ମାନ କହିଛନ୍ତି।