ମାସକରେ ଦେଢ କୋଟି ଆୟକଲେ ପୁନେ ଚାଷୀ, ଗୋଟିଏ ଦିନରେ ବିକିଥିଲେ ୧୮ଲକ୍ଷ ଟମାଟୋ

0

ପୁନେ: ଦେଶବ୍ୟାପୀ ଟମାଟୋର ଅତ୍ୟଧିକ ଦରବୃଦ୍ଦି ଯୋଗୁ ସାଧାରଣ ଜନତାଙ୍କ ରୋଷେଇ ଘରୁ ତାହା ଉଭାନ୍ ହୋଇଯାଇଛି । କେତେକ ରାଜ୍ୟରେ ଚାଷୀଙ୍କୁ ତାହା ଭରପୁର ଫାଇଦା ଆଣିଦେଇଛି । ମହାରାଷ୍ଟ୍ର ପୁନେ ସହର ଅନ୍ତର୍ଗତ ଜୁନ୍ନର ଅଂଚଳର ତୁକାରାମ ଭାଗୋଜି ଗାୟକର ନାମକ ଚାଷୀ ଓ ତାଙ୍କ ପରିବାର ମାସକରେ ଟମାଟେ ବିକ୍ରି କରି ୧.୫କୋଟିରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି । ଏହି ଗୋଟିଏ ମାସରେ ସେ ୧୩ ହଜାର ଟ୍ରେ ଟମାଟୋ ବିକ୍ରି କରିଛନ୍ତି । ପ୍ରତି ଟ୍ରେ (୨୦କଲେଗ୍ରାମ)ର ଦାମ ୧,୦୦୦ରୁ ୨,୪୦୦ ଟଙ୍କାରେ ବିକ୍ରି କରିଛନ୍ତି ।

କେବଳ ଜୁଲାଇ ୧୧ରେ ତୁକାରାମ ଓ ତାଙ୍କ ପରିବାର ୯୦୦ ଟ୍ରେ ଟମାଟେ ବିକ୍ରି କରି ୧୮ ଲକ୍ଷ ଟଙ୍କା ଆୟ କରିଥିଲେ । ଏପରିକି ଭଲ ଟମାଟୋକୁ ଟ୍ରେ ପ୍ରତି ୨୫୦୦ ଟଙ୍କାରେ ମଧ୍ୟ ସେମାନେ ବିକ୍ରି କରିଥିବା ତୁକାରମ କହିଛନ୍ତି । ଅର୍ଥାତ କିଲେଗ୍ରାମ ପିଛା ମୂଲ୍ୟ ୧୨୫ ଟଙ୍କାରେ ବିକ୍ତି କରାଯାଇଛି । ତୁକାରାମ ପରିବାର ପାଖରେ ୧୮ ଏକର ଚାଷଜମି ରହିଛି । ସେଥିରୁ ସେ ୧୨ ଏକର ଜମିରେ ପୁଅ ଇଶ୍ୱର ଗାୟକର ଓ ବୋହୁ ସୋନାଲିଙ୍କ ସହ ମିଶି ଟମାଟୋ ଚାଷ କରିଥିଲେ । ବୋହୂ ସୋନାଲି ଗଛ ଲଗାଇବାଠାରୁ ଆରମ୍ଭ କରି ଅମଳ ଓ ପ୍ୟାକେଜିଂ ପର୍ଯ୍ୟନ୍ତ ସବୁ କଥା ବୁଝୁଥିବ ବେଳେ ପୁଅ ଇଶ୍ୱର ବିକ୍ରି କଥା ବୁଝିଥାନ୍ତି । ସେମାନେ ଉପଯୁକ୍ତ ସାର , କୀଟନାଶକ ପ୍ରୟୋଗ କରି ଉନ୍ନତ ମାନର ଟମାଟୋ ଫଳାଇ ପାରୁଛନ୍ତି । ଗତ ୩ ମାସ ଧରି ସେମାନେ କରିଥିବା ପରିଶ୍ରମ ଫଳ ଏବେ ପାଇଥିବା ତୁକାରାମ କହିଛନ୍ତି ।

ତେବେ କେବଳ ତୁକାରମ ନୁହଁନ୍ତି ସେହି ଅଞ୍ଚଳର ଅନେକ ଚାଷୀ ମଧ୍ୟ ଟମାଟେ ବିକ୍ରି କରି ବିପୁଳ ରୋଜଗାର କରିଥିବା ଜଣାପଡିଛି । ସ୍ଥାନୀୟ କମିଟି କହିଛିକି ଗତ ଏକମାସ ଭିତରେ କେବଳ ଟମାଟୋ ବିକ୍ରିରେ ୮୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି । ୧୦୦ରୁ ଅଧିକ ମହିଳା ମଧ୍ୟ ଏହାଦ୍ୱାରା ରୋଜଗାରକ୍ଷମ ହୋଇପାରିଛନ୍ତି । କେବଳ ମହାରଷ୍ଟ୍ର ନୁହେଁ , ପୋଡୋଶୀ କର୍ଣ୍ଣାଟକରେ ମଧ୍ୟ ଚାଷୀମାନେ ଟମାଟୋ ବିକ୍ରିକରି ଲକ୍ଷପତି ହୋଇଛନ୍ତି । ଚଳିତ ସପ୍ତାହରେ କର୍ଣ୍ଣାଟକ କୋଲର ଅଞ୍ଚଳର ଜଣେ ଚାଷୀ ୨ହଜାର କାର୍ଟୁନ ଟମାଟୋ ବିକ୍ରି କରି ୩୮ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ଦେଶର ଅଧିକାଂଶ ରାଜ୍ୟରେ ଟମାଟୋ ମୂଲ୍ୟ ବର୍ତ୍ତମାନ କିଲୋଗ୍ରାମ ପିଛା ୧୦୦ ଟଙ୍କା ଉପରେ ରହିଥିବା ବେଳେ ଚଣ୍ଡିଗଡ ଓ ଗାଜିଆବାଦରେ ୨୦୦ ଟଙ୍କ ଉପରେ ରହିଛି ।