ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଥିଲେ

ଗୋପ (ଜୟନ୍ତ କୁମାର ସେଠୀ):- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଥିଲେ। ତେବେ ରାଷ୍ଟ୍ରପତି ବଡ ଦାଣ୍ଡ ରେ ଚାଲି ଚାଲି  ସିଂହଦ୍ଵାରକୁ  ଯାଇଥିଲେ। ବଡ ଡାକ୍ତରଖାନା ଛକ ଠାରୁ ସେ ଆସୁଥିବା କାର୍କେଡ ରୁ ଓହ୍ଲାଇ ବଡ଼ଦାଣ୍ଡରେ ପ୍ରାୟ ଦୁଇ କିଲୋମିଟର ଚାଲି ଚାଲି ଆସିବା ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା। ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ସିଂହଦ୍ଵାରରେ ପହଞ୍ଚିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଛତିଶା ନିଯୋଗ ନାୟକ, କୌଳିକ ପଣ୍ଡା ଓ ପରିଚାଳନା କମିଟି ସଦସ୍ୟ ତାଙ୍କୁ ସ୍ବାଗତ ଜଣାଇ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ।

ଶ୍ରୀମନ୍ଦିରକୁ ଯାଇ ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମନ୍ଦିର ପରିସରରେ ଥିବା ମା ବିମଳା, ମହାଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀ ମନ୍ଦିର ବୁଲି କୌଳିକ ପଣ୍ଡାଙ୍କ ଦର୍ଶନ‌ ଖାତାରେ ଦସ୍ତଖତ କରିଥିଲେ।। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଗଣେଶି ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଗସ୍ତରେ ସାମିଲ ହୋଇଥିଲେ। ଦର୍ଶନ ସାରି ରାଷ୍ଟ୍ରପତି ଫେରିବା ପରେ ସିଂହଦ୍ଵାର ସମ୍ମୁଖରେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ନିଯୋଗ ପକ୍ଷରୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ସିଂହଦ୍ଵାର ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ରାଷ୍ଟ୍ରପତି। ପରେ ପୁରୀ ରାଜଭବନକୁ ପ୍ରତ୍ୟାବର୍ତ୍ତନ କରି ସେଠାରେ ମହାପ୍ରସାଦ ସେବନ କରିଥିଲେ। ମଧ୍ୟାହ୍ନ ଭୋଜନ ପରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଭେଟି ରାଷ୍ଟ୍ରପତି ତାଳବଣିଆ ହେଲିପ୍ୟାଡରୁ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ।