ଭୁବନେଶ୍ୱର: ଆଉ ନାହାନ୍ତି ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି । ଗତକାଲି ରାତି ପ୍ରାୟ ୧୧ ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି । ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଟ୍ୱିଟ କରି ରାଷ୍ଟ୍ରପତି କହିଛନ୍ତି ଯେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗ ସମ୍ବାଦ ଜାଣି ମୁଁ ମର୍ମାହତ ଶ୍ରୀ ମହାନ୍ତି ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇ ଅସଂଖ୍ୟ ଦର୍ଶକଙ୍କ ହୃଦୟ ଜୟ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ବିକାଶ କ୍ଷେତ୍ରର ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ଜଣେ ମିଷ୍ଟଭାଷୀ ଓ ଅମାୟିକ ଭଦ୍ରବ୍ୟକ୍ତି ଭାବରେ ସେ ସମସ୍ତଙ୍କର ଶ୍ରଦ୍ଧାଭାଜନ ଥିଲେ । ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅପୂରଣୀୟ କ୍ଷତି ହୋଇଛି । ତାଙ୍କ ପରିବାରବର୍ଗ ଓ ପ୍ରଶଂସକମାନଙ୍କୁ ସମବେଦନା ଜଣାଉଛି ।

ସୂଚନା ଅନୁଯାୟୀ, ତେବେ ସେ ଲିଭର ଶିରୋସିସ ରୋଗରେ ପୀଡିତ ଥିଲେ ଓ ଏଥିପାଇଁ ଅଧିକ ଚିକିତ୍ସା ଆବଶ୍ୟକ ପଡ଼ୁଥିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା । ଗତ କିଛି ଦିନ ହେବ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ ଯେଉଁଥିପାଇଁ ଅବସ୍ଥା ଆହୁରି ସଙ୍କଟାପନ୍ନ ହୋଇଯାଇଥିଲା । ଏବଂ ଗତକାଲି ସେ ଆରପାରିକୁ ଚାଲିଯାଇଛନ୍ତି ।