ହଜିଯାଉଛି ମାନବିକତା: ଗର୍ଭବତୀଙ୍କୁ ଟଙ୍କା ଦେବାକୁ ମନା କଲେ ବ୍ୟାଙ୍କ କର୍ମଚାରୀ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମରେ ମହାମାରୀ କରୋନା ଯେଭଳି ଭାବେ ତାର କାୟା ବିସ୍ତାର କରିଛି, ସେଥିରେ ମଣିଷ ନିଜର ମାନବିକତା ହରାଇବାକୁ ବସିଲାଣି । କରୋନା ଭୟରେ ଏବେ ଜଣେ ଗର୍ଭବତୀ ମହିଳାଙ୍କୁ ବ୍ୟାଙ୍କ କର୍ମଚାରୀମାନେ ବସିବାକୁ ଅନୁମତି ଦେଇ ନଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣକ ସାନଖେମୁଣ୍ଡେି କଙ୍କୋରଡା ଏସବିଆଇ ଶାଖା ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ । ସେଠାରେ ତାଙ୍କୁ ଛାଡି ମାତ୍ର ୫ ଜଣ ଲୋକ ଉପସ୍ଥିତ ଥିଲେ । ସେ ଗର୍ଭବତୀ ଥିବା ଜାଣିଥିଲେ ବି ସେଠାରେ ତାଙ୍କୁ ଚେୟାରରେ ବସିବାକୁ ମନା କରାଯାଇଥିଲା । ଏଭଳି ଦୁଇ ଘଣ୍ଟା କାଳ ଅପେକ୍ଷା କରିବା ପରେ ତାଙ୍କୁ ଟଙ୍କା ଦେବା ପାଇଁ ମନା କରାଯିବା ସହ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ପରେ ଆସିବା ପାଇଁ କହିଥିଲେ । ଫଳରେ ମହିଳା ଜଣକ ନିରାଶ ହୋଇ ଫେରିଥିଲେ । ଏହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅନ୍ୟପଟେ କରୋନା ସମୟରେ ଜଣେ ଗର୍ଭବତୀ ମହିଳାଙ୍କ ସହ ବ୍ୟାଙ୍କ କର୍ମଚାରୀଙ୍କର ଏଭଳି ବ୍ୟବହାରକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି ।