ଅଭିନେତା ପ୍ରକାଶ ରାଜ ପୁଣିଥରେ ରାମାୟଣ ଉପରେ ତାଙ୍କର ବିବାଦୀୟ ବୟାନ ପାଇଁ ସମସ୍ୟାରେ ପଡ଼ିଛନ୍ତି। କେରଳ ସାହିତ୍ୟ ମହୋତ୍ସବରେ ପ୍ରକାଶ ରାଜ ଏହି ବୟାନ ଦେଇଥିଲେ ଏବଂ ଏହା ଏବେ ତାଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ଏକ ସୃଜନଶୀଳ କର୍ମଶାଳା ସମୟରେ ଏକ ଶିଶୁ ନାଟ୍ୟ ଗୋଷ୍ଠୀ ଦ୍ୱାରା ମଞ୍ଚସ୍ଥ ରାମାୟଣର ଏକ ସଂସ୍କରଣ ବିଷୟରେ କହୁଥିଲେ। ମହାକାବ୍ୟର ଏହି ସଂସ୍କରଣରେ ଭଗବାନ ରାମ ଏବଂ ଲକ୍ଷ୍ମଣଙ୍କୁ ଉତ୍ତର ଭାରତୀୟ ଭାବରେ ଦର୍ଶାଯାଇଥିଲା ଯେଉଁମାନେ ଦକ୍ଷିଣରେ ରାବଣଙ୍କ ବଗିଚାରୁ ଫଳ ଚୋରି କରିଥିଲେ। ପ୍ରକାଶ ରାଜ କହିଥିଲେ, “ରାମ, ଲକ୍ଷ୍ମଣ ଏବଂ ସୀତା ଦକ୍ଷିଣ ଦିଗକୁ ଯାତ୍ରା କରୁଥିଲେ। ରାସ୍ତାରେ ସେମାନଙ୍କୁ ଭୋକ ଲାଗିଥିଲା, ତେଣୁ ରାମ କହିଲେ, ‘ଏହା କାହାର କ୍ଷେତ।’ ଲକ୍ଷ୍ମଣ ପଚାରିଲେ, ‘ଆମେ ଏହି ଫଳଗୁଡ଼ିକ ଖାଇପାରିବୁ କି?’ ରାମ ଉତ୍ତର ଦେଲେ, ‘ହଁ, ଆମେ ଭୋକ ଲାଗିଲେ ସେଗୁଡ଼ିକୁ ଖାଇପାରିବୁ।’ ସେମାନେ ଖାଇବା ଆରମ୍ଭ କରିବା ମାତ୍ରେ ରାବଣ ଏବଂ ଶୁର୍ପଣଖା ସେଠାରେ ପହଞ୍ଚିଲେ। ଯେତେବେଳେ ଏହାକୁ ନେଇ ଆପତ୍ତି ଉଠାଇଥିଲେ ଶୁର୍ପଣଖା । ରାବଣ କହିଥିଲେ, ‘ସେମାନଙ୍କୁ ଏବେ ଖାଇବାକୁ ଦିଅ, ଆମେ ପରେ ଦେଖିବା।’

ଫଳ ଖାଇବା ପରେ, ରାମ ଟଙ୍କା ଦେବାକୁ ଚାହୁଁଥିଲେ । ତେଣୁ ଶୁର୍ପଣଖା ହିସାବ କରି ତାଙ୍କୁ GST ସମେତ ୨୦୦୦ ଡଲାର ଦେବାକୁ କହିଲେ । କିନ୍ତୁ, ରାମ ଏବଂ ଲକ୍ଷ୍ମଣଙ୍କ ପାଖରେ ଟଙ୍କା ନଥିଲା, ତେଣୁ ସେମାନେ ୨୦ ପ୍ରତିଶତ ରିହାତି ମାଗିଲେ। ଏହା ପରେ ମଧ୍ୟ, ସେମାନଙ୍କ ପାଖରେ ଏତେ ଟଙ୍କା ନଥିଲା । ରାବଣ ସେମାନଙ୍କୁ କହିଲେ ଯେ, ଯଦି ସେମାନେ ଟଙ୍କା ଦେଇପାରିବେ ନାହିଁ, ତେବେ ସେମାନଙ୍କୁ ଏହାର କ୍ଷତିପୂରଣ ପାଇଁ କାମ କରିବାକୁ ପଡିବ। ତା’ପରେ ରାବଣ ସେମାନଙ୍କୁ ଗଛ ଲଗାଇବାକୁ କହିଲେ। ଏହା ସହିତ ପ୍ରକାଶ ରାଜ ଏହା ମଧ୍ୟ କହିଥିଲେ ଯେ, ଉତ୍ତର ଭାରତରୁ ଆସୁଥିବା ଲୋକମାନେ ଦକ୍ଷିଣ ଭାରତରେ ହିନ୍ଦୀ ଲଦିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ ଏବଂ ସେମାନଙ୍କୁ କ’ଣ ଖାଇବା ଉଚିତ ଏବଂ କ’ଣ ନୁହେଁ ତାହା ମଧ୍ୟ କହିବା ଅନୁଚିତ୍।

ପ୍ରଭୁ ଶ୍ରୀରାମ ଏବଂ ପବିତ୍ର ମହାକାବ୍ୟକୁ ଉପହାସ କରିବାକୁ ନେଇ ପ୍ରକାଶ ରାଜଙ୍କ ବିରୋଧରେ ଏବେ ଏକ ଅଭିଯୋଗ ଦାଖଲ କରାଯାଇଛି। ପ୍ରକାଶ ରାଜ ଉଦ୍ଦେଶ୍ୟମୂଳକ ଭାବରେ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଗୁରୁବାର (ଏପ୍ରିଲ ୧୬) ଓକିଲ ଅମିତା ସଚଦେବ ଦିଲ୍ଲୀ ପୋଲିସର ଦକ୍ଷିଣ ଜିଲ୍ଲା ସାଇବର ସେଲରେ ଅଭିଯୋଗ ଦାଖଲ କରିଛନ୍ତି। ସଚଦେବ କହିଛନ୍ତି ଯେ, ଏପରି ବୟାନ ଆଉ ବରଦାସ୍ତ କରାଯିବ ନାହିଁ ଏବଂ ସେ ଏହି ମାମଲାକୁ ଗମ୍ଭୀରତାର ସହ ନେବେ।