ଦଳରେ ଏକା ପଡିଛନ୍ତି ପ୍ରଦୀପ

ଭୁବନେଶ୍ୱର/ ଶିଳାସ୍ମିତା ରାୟ: ଗୋଟିଏ ପଟେ ରାଜ୍ୟ ପିସିସି ସଭାପତି ପରିବର୍ତ୍ତନକୁ ନେଇ ରାଜ୍ୟ କଂଗ୍ରେସରେ ହଲଚଲ ଲାଗି ରହିଛି । ଅନ୍ୟପଟେ ରାଜ୍ୟ କଂଗ୍ରେସର ୯ ବିଧାୟକଙ୍କ ମଧ୍ୟରୁ ୨ ଜଣ ଦଳ ଡିଆଁ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଓ ଅନ୍ୟ ଜଣେ ବରିଷ୍ଠ ଯୁବ ନେତା, ପୂର୍ବତନ ସାଂସଦ ଯିଏ ଦିନେ ଜାତୀୟ କଂଗ୍ରେସର ତକ୍ରାଳୀନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଖାସ ଥିଲେ ସେ ଦଳ ଛାଡିବାକୁ ସଜ ହେଉଛନ୍ତି । ସେ ଆଉ କେହି ନୁହଁନ୍ତି, ତୃଣମୂଳ ସ୍ତରରୁ ରାଜନୀତି ଆରମ୍ଭ କରି ଜାତୀୟ ସ୍ତରରେ ନିଜର ପତିଆର ସୃଷ୍ଟି କରିଥିବା କଂଗ୍ରେସର ପୂର୍ବତନ ସାଂସଦ ପ୍ରଦିପ ମାଝି ।
ପ୍ରଦିପ ନବରଙ୍ଗପୁରରୁ ସାଂସଦ ହୋଇଥିଲେ । ତାଙ୍କ କାର୍ଯ୍ୟଦକ୍ଷତା, କଂଗ୍ରେସ ପ୍ରତି ସମର୍ପଣଭାବ, ତୃଣମୂଳସ୍ତର ସହ ସୁସମ୍ପର୍କ ଆଦିକୁ ନେଇ ସେ ଖୁବ ଶୀଘ୍ର ଜାତୀୟ ରାଜନୀତିରେ ନାମ କମାଇଥିଲେ । ଏପରି କି କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧୀଙ୍କର ସେ ଥିଲେ ଅତି ବିଶ୍ୱସ୍ତ । କିନ୍ତୁ ଏବେ ତାଙ୍କୁ ଦଳ କଣ ଠେନ୍ସା ଦେଇଛି । ସେ ଏକପ୍ରକାର ବାସନ୍ଦ ହୋଇଯାଇଛନ୍ତି, ଠିକ ଜାତୀୟସ୍ତରର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚିନ ପାଇଲଟ, ମିଲନ ଦେଓଡା, ଜିତେନ ପ୍ରସାଦ ଓ ସଞ୍ଜୟ ଝାଙ୍କ ପରି । ଦିନେ ଏମାନେ ରାହୁଲଙ୍କ ଗୋଷ୍ଠୀର ଆଗଧାଡିର ନେତା ଥିଲେ । ରାହୁଲଙ୍କ ମାର୍ଗଦର୍ଶକର କାମ କରୁଥିଲେ । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କୁ ଦଳରେ କୋଣଠେଁସା କରାଯାଇଥିଲା, ଯେଉଁଥିପାଇଁ ପ୍ରଥମେ ସିନ୍ଧିଆ ଦଳ ବିରୋଧରେ ସ୍ୱର ଉଠାଇଥିଲେ ଓ ପରେ ବିଜେପିରେ ଯୋଗ ଦେଇଥିଲେ । ଏବେ ସେ ବିଜେପିରୁ ସାଂସଦ ହୋଇଛନ୍ତି । ସେହିପରି ପାଇଲଟଙ୍କୁ ମଧ୍ୟ ଦଳ ଅନେକ ଅଣଦେଖା କରିଛି । ଦଳର ପୁରୁଣା ଚିନ୍ତାଧାରା, କାର୍ଯ୍ୟ ପ୍ରଣାଳିକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ମତାନ୍ତର ପରେ ସେ ତାଙ୍କ ୧୮ ସମର୍ଥକଙ୍କ ସହ ଦଳ ଛାଡିବାକୁ ବାଧ୍ୟହେଲେ । ଦଳ ତାଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ବୁଝାଶୁଝା କରିବା ପରିବର୍ତ୍ତେ ତାଙ୍କୁ ତାଙ୍କ ଉପ ମୁଖ୍ୟମନ୍ତ୍ରୀ ପଦରୁ ବିତାଡିତ କରିବା ସହ ସମସ୍ତ ୧୯ ଜଣଙ୍କୁ ଦଳରୁ ବହିସ୍କାର କରିଥିଲା । ସେତେବେଳେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏହାକୁ ପାଇଲଟ ଖଣ୍ଡନ କରିଥିଲେ ଓ ଏକ ମାସର ଡ୍ରାମା ପରେ ରାଜସ୍ଥାନ କଂଗ୍ରେସ କନ୍ଦଳରେ ଯବନିକା ପଡିଛି । ପୁଣି ପାଇଲଟ ଓ ତାଙ୍କ ସମର୍ଥକ ମାନେ ଦଳରେ ସାମିଲ ହୋଇଛନ୍ତି, କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ତାଙ୍କ ପଦ ମିଳିନାହିଁ । ଦଳରେ ସାମିଲ ହୋଇଥିଲେ ମଧ୍ୟ ପାଇଲଟଙ୍କ ନିକଟରେ କୌଣସି କ୍ଷମତା ନାହିଁ । ମିଲନ ଦେଉଡା ଓ ଜିତେନ ପ୍ରସାଦଙ୍କ ଅବସ୍ଥା ମଧ୍ୟ ସମାନ । ସେହିପରି ଚୀନ ସହ ଦଳର ସମ୍ପର୍କକୁ ବିରୋଧ କରିବା ପରେ ସଞ୍ଜୟ ଝାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ସେ ମଧ୍ୟ ବିଜେପିରେ ମିଶିବା ଏକ ପ୍ରକାର ସ୍ଥିର ହୋଇଥିବା କୁହାଯାଉଛି ।
ଏସବୁକୁ ଦେଖିବା ପରେ ରାହୁଲଙ୍କ ପରାମର୍ଶ ଦାତା ତାଲିକାରେ ଥିବା ଓଡିଶା କଂଗ୍ରେସର ଯୁବ ନେତା ପ୍ରଦିପଙ୍କ ଅବସ୍ଥାକୁ ନେଇ ଅନୁମାନ କରାଯାଇ ପାରେ । ଏଥିନେଇ ହୁଏତ ସାଧାରଣ ନିର୍ବାଚନ ପରଠାରୁ ଦଳୀୟ କାର୍ଯ୍ୟରେ ସକ୍ରିୟ ନାହାନ୍ତି । କୁହାଯାଉଛି, ନିର୍ବାଚନ ବୈତରଣୀ ପାର ହେବାକୁ ଇନ୍ଦୀରାଙ୍କ ବିକଳ୍ପ ରୂପେ ଦଳରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଏଣ୍ଟ୍ରି କରାଯାଇଥିଲା । କିନ୍ତୁ ଏହା ପରେ ଦଳରେ ଯୁବ ନେତାଙ୍କ ଗୁରୁତ୍ୱ ହ୍ରାସ ପାଇଛି । ଅନ୍ୟ ସମସ୍ତ ଜାତୀୟ ତଥା ଆଞ୍ଚଳିକ ଦଳ ଯୁବନେତାଙ୍କୁ ପ୍ରାଧାନ୍ୟ ଦେଉଥିବା ବେଳେ କିନ୍ତୁ ସର୍ବପୁରାତନ ଦଳ କଂଗ୍ରେସ ପୁରୁଣା ଚିନ୍ତାଧାରାରୁ ବାହାରି ପାରି ନାହିଁ, କିମ୍ବା ପ୍ରିୟଙ୍କା ଅନ୍ୟ ଯୁବ ନେତାଙ୍କ ଲୋକପ୍ରିୟତାକୁ ତାଙ୍କ ପ୍ରତି ବିପଦ ମନେ କରୁଛନ୍ତି, ଯେଉଁଥିପାଇଁ ସେ ଦଳର ସକ୍ରିୟ, ଦକ୍ଷ ଯୁବନେତାଙ୍କୁ ଜଣକ ପରେ ଜଣକୁ ଦଳରେ ଅଣନିଶ୍ୱାସୀ କରି ପକାଉଛନ୍ତି, ଫଳସ୍ୱରୂପ ସେମାନେ ଦଳ ଛାଡିବାକୁ ବାଧ୍ୟ ହେଉଛନ୍ତି । ଏହାକୁ ନେଇ କୁହାଯାଉଛି, ପ୍ରଦିପ ଖୁବ ଶୀଘ୍ର ଦଳ ଛାଡିବାକୁ ଯାଉଛନ୍ତି, ଯାହାର ଏକ ଝଲକ ନିକଟ ଅତୀତରେ ଏକ ପ୍ୟାନେଲ ଡିସ୍କସନରେ ଦେଖିବାକୁ ମିଳିଥିଲା । ପ୍ରଦିପ ଖୋଲାଖୋଲି ଭାବେ କଂଗ୍ରେସରେ ଗାନ୍ଧୀ ପରିବାରର ଭୟକୁ ଭୁଲି କଂଗ୍ରେସର ପତନର କାରଣ ରାହୁଲ ଓ ସୋନିଆଙ୍କୁ କହିଥିଲେ । ଏହା ପରେ କୁହାଯାଉଛି ପ୍ରଦିପ ଖୁବ ଶୀଘ୍ର କଂଗ୍ରେସ ଛାଡିବାକୁ ଯାଉଛନ୍ତି, ଯାହାର ଗାନ୍ଧୀ ପରିବାର ବିରୋଧରେ ମୁହଁ ଖୋଲୁଛନ୍ତି । ସେ ବିଜେପିରେ ହିଁ ଯୋଗଦେବେ ବୋଲି କୁହାଯାଉଛି । ଏପରି ଚର୍ଚ୍ଚାର କାରଣ, ସିନ୍ଧିଆଙ୍କ ସହ ପ୍ରଦୀପଙ୍କ ଘନିଷ୍ଠତା । ଏହାକୁ ପ୍ରଦିପ ଏପର୍ଯ୍ୟନ୍ତ ଅସ୍ୱିକାର କରୁଥିବା ବେଳେ କିନ୍ତୁ ରାଜନୈତିକ ବିଶାରଦ ପ୍ରଦିପଙ୍କ ଆଗାମୀ କର୍ମ ସଂସ୍ଥାନ ବିଜେପି ହେବ ବୋଲି ଅନୁମାନ କରୁଛନ୍ତି ।