(ଭୁବନେଶ୍ୱର/ ରାଜେଶ ସାହୁ): କୁହାଯାଉଛି, ନବୀନଙ୍କ ବ୍ୟକ୍ତିତ୍ୱ ପାଇଁ ସବୁକ୍ଷେତ୍ରରେ ଅଗ୍ରଗତି କରି ଚାଲିଛି ଓଡିଶା । ଦିନେ ରାଜ୍ୟକୁ କୁହାଯାଉ ଥିଲା ଭୋକର ଭୂଗୋଳ ଓ ଗରିବର ଆତ୍ମଦାହ । ହେଲେ ତାହା ଆଜି ଇତିହାସ ପାଲଟିଛି । ମହିଳାଙ୍କ ପାଇଁ ମିଶନ ଶକ୍ତି , କୃଷକ ପାଇଁ କାଳିଆ ଯୋଜନା, ସେହିପରି ସହର ବାସୀ ଗରିବଙ୍କ ପାଇଁ ୫ ଟଙ୍କିଆ ମିଲ ଓ ଭୁବନେଶ୍ୱର ସ୍ମାର୍ଟ ସିଟିର ମାନ୍ୟତା ପାଇଛି ନବୀନ ଅଦମ୍ୟ ଚେଷ୍ଟାରେ । ନବୀନଙ୍କ ସରଳ ଛବି ଓ କପଟଶୂନ୍ୟ ହୃଦୟ ପାଇଁ ରାଜ୍ୟ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି ଚାଲିଛି । ବଦଳିଛି ରାଜ୍ୟର ରୂପରେଖ । ରାଜ୍ୟ ଆଗେଇ ଚାଲିଛି ସମୃଦ୍ଧି ପଥରେ । ଓଡିଶା ପାଇଛି ନୂଆ ପରିଚୟ ।

କିନ୍ତୁ ନବୀନଙ୍କ ବ୍ୟକ୍ତିଗତ ଜୀବନ ପୂର୍ବପରି ରହିଛି ନିରାଡମ୍ବପୂର୍ଣ୍ଣ, ସରଳ ଓ ସାଧାରଣ । ତେଣୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁହନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସରଳ ମନା ଗରୀବଙ୍କ ପାଇଁ ଚିନ୍ତିତ । ଏମିତି କି ନବୀନ ନିବାସରେ ନବୀନ ଏକ ଛୋଟିଆ ଘରେ ସାଧାରଣ ଜୀବନଯାପନ କରନ୍ତି । କେହି ତାଙ୍କ ନିକଟକୁ ଗଲେ ସେ ସାଦରେ ତାଙ୍କୁ ପାଛୋଟି ନିଅନ୍ତି । ସେହି ଛୋଟିଆ ଘରଟିରେ ସେ ରାଜ୍ୟ ଜାକର କଥା ବୁଝନ୍ତି । ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ତାଙ୍କ ନିକଟରେ ନାହିଁ କୌଣସି ହାଇ ପ୍ରୋଫାଇଲ ବଡ ଗାଡି । ଯେବେ ସେ ଯିବାକୁ ଇଚ୍ଛା କରନ୍ତି ତାଙ୍କ ଇଣ୍ଡିଗୋ ଗାଡିରେ ଯାଆନ୍ତି । ଆଭିଜାତ୍ୟର ପ୍ରତୀକ ନାଲି ବତୀ ଗାଡି ନେବାକୁ ମଧ୍ୟ ସେ ମନା କରିଥିଲେ । ଏଥିସହ ମନ୍ତ୍ରୀମାନଙ୍କୁ ମଧ୍ୟ ନାଲି ବତୀ ଗାଡି ବ୍ୟବହାର ନ କରିବାକୁ ତଥା ସାଧାରଣ ଜୀବନଯାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହା ନବୀନଙ୍କୁ ଆହୁରି ଲୋକପ୍ରିୟ କରାଇଛିି ।

କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିରାଡମ୍ବରପୂର୍ଣ୍ଣ ଜୀବନଯାପନ ଗୁରୁବାଣୀକୁ ଦଳର ନେତା,ମନ୍ତ୍ରୀ,କର୍ମୀ ଗ୍ରହଣ କରିବାକୁ ନାପସନ୍ଦ କରିଛନ୍ତି । ନବୀନଙ୍କ ନିର୍ଦ୍ଦେଶକୁ ଅଗ୍ରାହ୍ୟ କରି ବିଳାଶପୂର୍ଣ୍ଣ ଜୀବନ ଜୀଇଁବାକୁ ନେଇ ଚଳାଇଛନ୍ତି ପ୍ରତିଯୋଗିତା । ଦଳର ପ୍ରାୟତଃ ସମସ୍ତ ନେତା ଓ ମନ୍ତ୍ରୀଙ୍କ ନିକଟରେ ରହିଛି ବଡବଡ କମ୍ପାନୀର ଦାମୀ କାର ସାଙ୍ଗକୁ ପ୍ରାସାଦତୁଲ୍ୟ କୋଠା । ଏହି ତାଲିକାରେ ପ୍ରଥମ ନାମ ଆସେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର । ମନ୍ତ୍ରୀ ଦାସଙ୍କର ରହିଛି ବହୁ ବସ, ଟ୍ରକ ଓ ସୌକିନ ଦାମୀ କାର । ଯାହାର ବଜାର ମୂଲ୍ୟ କୋଟି କୋଟି ଟଙ୍କା । ଏମିତି କି ଯାଜପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କର ମଧ୍ୟ ରହିଛି କୋଟି କୋଟି ଟଙ୍କାର ଘର ସେମେତ ଗାଡି । ଏହା ସହ ଧାମନଗର ପୂର୍ବତ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କର ମଧ୍ୟ ରହିଛି କୋଟି କୋଟି ଟଙ୍କାର କାର ଓ ଘର । ଏପରିକି ବିଜେଡିର ଛାତ୍ର ନେତା ଓ କର୍ମକର୍ତ୍ତା କୋଟି କୋଟି ଟଙ୍କାର ମାଲିକ । ଚଢୁଛନ୍ତି କୋଟି କୋଟି ଟଙ୍କାର ଗାଡି । ଗୋଟିଏ ପଟେ ୨୧ ବର୍ଷ ଶାସନ ଗାଦିରେ ବସିଥିବା ପାର୍ଟିର ସୁପ୍ରିମୋ ଅତିସରଳ ହୋଇଥିବା ବେଳେ ଦଳର ଚପରାସି ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ ଓ କର୍ମୀ ଜଣେ ଜଣେ କୋଟିପତି ।

ଦଳ ଗୋଟିଏ ହୋଇଥିବା ବେଳେ ଦଳ ମୁଖିଆ ଓ ଦଳୀୟ ସଦସ୍ୟଙ୍କ ମଧ୍ୟରେ ଥିବା ଭିନ୍ନତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଯଦି ବାସ୍ତବରେ ମୁଖିଆ ସ୍ୱଚ୍ଛ, ନିରାଡମ୍ବର ଜୀବନ ଜୀଉଁଛନ୍ତି ଓ ଅନ୍ୟମାନଙ୍କୁ ସେହିପରି ଜୀବନଯାପନ ପାଇଁ ନିର୍ଦ୍ଦେଶ ଦେଉଛନ୍ତି ତେବେ ନିଜ ଦଳୀୟ କର୍ମକର୍ତ୍ତାଙ୍କ ରାଜକୀୟ ଚଳଣିକୁ କିପରି ମୁଖିଆ ଜାଣି ପାରୁ ନାହାନ୍ତି? ଯଦି ଜାଣିଛନ୍ତି ଏହା ଉପରେ କାହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି? କେଉଁଠୁ ଆସିଲା ଏତେ ସମ୍ପତ୍ତି ଓ ନାମୀଦାମୀ କମ୍ପାନୀର ଗାଡି? ସାଧାରଣ ଜନତା ଭୋକ ଉପାସରେ ଟଙ୍କିକିଆ ଚାଉଳରେ ଦିନ କାଟୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅନୁଯାୟୀ ଜନତାର ସେବକ ବୋଲାଉଥିବା ଜନପ୍ରତିନିଧି କିପରି ହୋଇଛନ୍ତି କୋଟିପତି? ନା ଉପରକୁ ସ୍ୱଚ୍ଛତାର ମୁଖା ପିନ୍ଧି ମୁଖ୍ୟମନ୍ତ୍ରୀ ନେତା ମନ୍ତ୍ରୀଙ୍କଠୁ ଆରମ୍ଭ କରି ସାଧାରଣ କର୍ମୀଟିଏ ପର୍ଯ୍ୟନ୍ତ ସମସ୍ତଙ୍କ ମାଧ୍ୟମରେ ଲୁଟୁଛନ୍ତି ସାଧାରଣ ଜନତାଠାରୁ, ରାଜ୍ୟକୁ?