କାର ଠକେଇ ମାମଲା: ମାଲିକଙ୍କୁ ଗାଡି ହସ୍ତାନ୍ତର

ଭୁବନେଶ୍ୱର/ଆଦର୍ଶ ରାଉତ: ଗତକାଲି ନୟାପଲ୍ଲୀ ଥାନା ତରଫରୁ ଏକ ବଡଧରଣର କାର ଠକେଇ ରାକେଟର ପର୍ଦ୍ଦାଫାସ କରାଯାଇଥିଲା । ପୁଲିସ ୧୦ଟି କାର ଉଦ୍ଧାର କରିବା ସହ ମୁଖ୍ୟ ଅଭିଯୁକ୍ତ ମାନସ ବିଶ୍ୱାଳକୁ ଗିରଫ କରିଥିଲା । ବାଲେଶ୍ୱରର ମାନସ ନୟାପଲ୍ଲୀ ଥାନା ଅଧୀନରେ ଏକ ଅଫିସ କରି ସେଲ୍ଫ ଡ୍ରାଇଭ ସଂସ୍ଥା ଚଳାଉଥିଲା । ତେବେ ସେ କାର ମାଲିକଙ୍କଠାରୁ କାର ମାସିକିଆ ଭଡାରେ ନେଇ ବାହାରେ ବନ୍ଧକ ରଖି ଟଙ୍କା ଆଣୁଥିଲା । ଏନେଇ ଜଣେ ଗାଡି ମାଲିକଙ୍କ ଅଭିଯୋଗ ପରେ ନୟାପଲ୍ଲୀ ପୁଲିସ ଏହି ଠକେଇର ପର୍ଦ୍ଦାଫାସ କରିଥିଲା । ଆଜି ଉଦ୍ଧାର ହୋଇଥିବା ୧୦ଟି ଯାକ କାରର ମାଲିକମାନଙ୍କୁ ନୟାପଲ୍ଲୀ ପୁଲିସ ପକ୍ଷରୁ ଯୋଗାଯୋଗ କରାଯାଇ ନୟାପଲ୍ଲୀ ଥାନାକୁ ଡକାଯାଇ ଗାଡି କାଗଜପତ୍ର ଯାଞ୍ଚ କରାଯାଇଛି । ଡିସିପିଙ୍କ ନିର୍ଦ୍ଦେଶ ଅନୁଯାୟୀ ଗାଡି ମାଲିକମାନଙ୍କୁ ସେମାନଙ୍କ ଗାଡି ଚାବି ହସ୍ତାନ୍ତର କରାଯାଇଛି ।