ହାତୀପଲକୁ ପିଟି ଦେଲା ପିକ୍ଅପ୍ ଭ୍ୟାନ୍ , ମାଈହାତୀ ଆହତ
ଦିନକୁ ଦିନ ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
(କୁଚିଣ୍ଡା) : ଦିନକୁ ଦିନ ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ରାସ୍ତା ପାର୍ ହେଉଥିବା ହାତୀପଲକୁ ପିଟି ଦେଲା ଏକ ପିକ୍ଅପ୍ ଭ୍ୟାନ୍ । ସମ୍ବଲପୁର ଜିଲ୍ଲା ବଞ୍ଜାରୀ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ପିକ୍ଅପ୍ ଧକ୍କାରେ ଏକ ମାଈହାତୀ ଆହତ ହୋଇଛି । ଦୁର୍ଘଟଣା ପରେ ପିକ୍ଅପ୍ ଭ୍ୟାନ୍ଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ହାତୀର ପଛ ଗୋଡ଼ରେ ଆଘାତ ଲାଗିଛି।
ବାମରା ବନଖଣ୍ଡ ଅଧିନସ୍ଥ ଜମନକିରା ବରହାମୁଣ୍ଡାଇ ବିଟ୍ ଅଞ୍ଚଳରୁ ଏକ ୨୩ ଟିକିଆ ହାତୀପଲ ଗତକାଲି ରାସ୍ତା ପାର୍ ହେଉଥିଲା । ଏହି ସମୟରେ ଜାତୀୟ ରାଜପଥ ନିର୍ମାଣରେ ନିୟୋଜିତ ଏକ ପିକ୍ଅପ୍ ଭ୍ୟାନ୍ ସେହି ହାତୀ ପଲରେ ଥିବା ଏକ ମାଈହାତୀର ପଛ ଗୋଡ଼କୁ ଧକ୍କା ଦେଇଥିଲା।
ସୂଚନାନୁଯାୟୀ , ଜମନକିରା ବନକର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହିତ ହାତୀର ଚିକିତ୍ସା ଜାରି ରଖିଛନ୍ତି । ଚିକିତ୍ସା ପରେ ଏବେ ହାତୀଟି ବଳଦିଆ ଜଙ୍ଗଲରେ ସାମାନ୍ୟ ସୁସ୍ଥ ହୋଇ ଚଲାବୁଲା କରୁଛି । ଅଧିକ ଚିକିତ୍ସା ପାଇଁ ରାଉରକେଲାରୁ ସ୍ୱତନ୍ତ୍ର ଚିକିତ୍ସକ ଦଳ ବଳଦିଆ ଅଭିମୁଖେ ଯାଇଥିବା ସୂଚନା ମିଳିଛି।