ନୂଆଦିଲ୍ଲୀ: ପେଗାସସ୍ ସ୍ପାଏୱେର ବ୍ୟବହାର କରି ଗୁଇନ୍ଦାଗିରି ମାମଲାରେ ଆବେଦନକାରୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର। ଆଜି ସୁପ୍ରିମକୋର୍ଟରେ ପେଗାସସ୍ ମାମଲାକୁ ନେଇ ଶୁଣାଣି ଥିବା ବେଳେ ଶାସକ ଓ ବିରୋଧୀ ଦଳର ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସାମାଜିକ କାର୍ୟ୍ୟକର୍ତ୍ତାଙ୍କଠାରୁ ଆରମ୍ଭ କରି ସାମ୍ବାଦିକ, ବିଚାରପତି, ବେସରକାରୀ ସଂଗଠନ ବିରୋଧରେ ଗୁଇନ୍ଦାଗିରି କରିଥିବା ଅଭିଯୋଗକୁ କେନ୍ଦ୍ର ପ୍ରତ୍ୟାଖ୍ୟାନ କରିଛି। ସୋମବାର ସୁପ୍ରିମକୋର୍ଟରେ ପେଗାସସ ମାମଲାରେ ଶୁଣାଣି ହୋଇଥିଲା । କୋର୍ଟରେ ସରକାର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । କୌଣସି ଅବୈଧ ଗୁଇନ୍ଦାଗିରି କରାଯାଇନଥିବା ସରକାର ସ୍ପଷ୍ଟୀକରଣ ରଖିଥିଲେ ।ଏହାସହ ବରିଷ୍ଠ ସାମ୍ବାଦିକ ଏନ ରାମଙ୍କ ସମେତ ଅନ୍ୟମାନଙ୍କ ଦ୍ୱାରା ଦାଖଲ ଆବେଦନରେ ହୋଇଥିବା ଅଭିଯୋଗକୁ ସିଧାସଳଖ ଭାବେ ମନା କରିଥିଲେ ।ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ସମେତ ବରିଷ୍ଠ ସାମ୍ବାଦିକ ଏନ୍ ରାମ ଏବଂ ଶଶୀ କୁମାର ପ୍ରମୁଖଙ୍କ ପକ୍ଷରୁ କରାଯାଇଥିବା ୯ଟି ପୃଥକ ଆବେଦନର ଶୁଣାଣି ଆଜି କରାଯାଇଥିଲା। ପେଗାସସ୍ ମାମଲାରେ କେନ୍ଦ୍ରକୁ ଜବାବ ମଗାଯାଇଥିବା ବେଳେ ଆଜି କେନ୍ଦ୍ର ସରକାର ଦୁଇ ପୃଷ୍ଠାର ସତ୍ୟପାଠରେ ନିଜର ଉତ୍ତର ରଖିଛନ୍ତି।