ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ବଡ଼ ବୟାନ

ଭୁବନେଶ୍ୱର:  ଚତୁର୍ଥ ପର୍ଯ୍ୟାୟରେ ଆସୁଥିବା ପକ୍କା ଘର କ୍ଷେତ୍ରରେ କିଛି ପରିବର୍ତ୍ତନ କରିଛନ୍ତି ସରକାର । ପୂର୍ବରୁ ଏସି ସି ସି ସି ତାଲିକାକୁ ଆଧାର କରି ପକ୍କା ଘର ଦିଆଯାଉଥିଲା । କିନ୍ତୁ ଏବେ ସେଥିରେ ପରିବର୍ତ୍ତନ ହୋଇଛି । ବାପାଙ୍କ ଠାରୁ ଅଲଗା ହୋଇଥିବା ବ୍ୟକ୍ତିଙ୍କୁ ମିଳିବା ପକ୍କା ଘର । ଏଥିରେ ହିତାଧିକାରୀଙ୍କୁ ଚୟନ କରିବା ପାଇଁ ସରକାର 10ଟି କ୍ରାଇଟେରିଆ କରିଛନ୍ତି । ଏହି ପ୍ରକ୍ରିୟା ପାଇଁ 6 ମାସ ସମୟ ଲାଗିବ ।

ବିଗତ ସରକାରରେ ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିଲେ । ପୂର୍ବ ସରକାର ଠିକ୍ ତାଲିକା ଦେଲେ ନାହିଁ ବୋଲି ଲକ୍ଷ ଲକ୍ଷ ଗରିବ ଘର ପାଇବାରୁ ବଞ୍ଚିତ ହେଲେ । ନଚେତ୍ ଓଡ଼ିଶାକୁ ଅଧିକ ଘର ଆସିଥାନ୍ତା । ସର୍ବଭାରତୀୟ ସ୍ତରରେ 2017-18 ମସିହାରେ ଗୋଟିଏ ତାଲିକା ପ୍ରସ୍ତୁତ ହୋଇଥିଲା । କିନ୍ତୁ ତତ୍କାଳୀନ ରାଜ୍ୟ ସରକାର ସେହି ତାଲିକା ପ୍ରସ୍ତୁତ କଲେ ନାହିଁ, ଲୁଚେଇ ଦେଲେ । ତେଣୁ ବଞ୍ଚିତ ହୋଇଥିବା ଗରିବ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି 6 ମାସ ଭିତରେ ସରକାର ଘର କରିବା ପାଇଁ କାର୍ଯ୍ୟାଦେଶ ଦେବେ । ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ, ବିଡିଓ, ପିଇଓ ମାନେ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ରହିବେ । ତେଣୁ ଯଦି ଚିହ୍ନଟ ପ୍ରକ୍ରିୟାରେ କୌଣସି ତ୍ରୁଟି ହେବ, ତେବେ ତଦନ୍ତ କରି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ଗାଇଡଲାଇନ ପ୍ରସ୍ତୁତ କରି ପ୍ରତି ବ୍ଲକକୁ ଦିଆଯାଇଛି ।  ଏହି ପ୍ରକ୍ରିୟାରେ ଆଗାମୀ ଦିନରେ 20ରୁ 22 ଲକ୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଘର ଦିଆଯିବ ।

ପୂର୍ବ ସରକାରରେ ଜଣେ ଲୋକ 3ଟି ପର୍ଯ୍ୟନ୍ତ ଘର ପାଉଥିଲେ । ତେଲିଆ ମୁଣ୍ଡରେ ତେଲ ଦିଆଯାଉଥିଲା । କିନ୍ତୁ ବିଜେପି ସରକାର ଯୋଗ୍ୟଙ୍କୁ ଚିହ୍ନଟ କରି ଘର ଦେବ ।  ଭୂମିହୀନ ମାନଙ୍କୁ ମଧ୍ୟ ଚିହ୍ନଟ କରିବା ପାଇଁ କ୍ଳଷ୍ଟର କରୁଛନ୍ତି ସରକାର । ଗୋଟିଏ ଗାଁରେ ଯଦି 15ଟି ପରିବାର ବାହାରୁଛି, ଆଉ ତାଙ୍କ ପାଖରେ ଘର କରିବା ପାଇଁ 4 ଡିସିମିଲ ଜାଗା ନାହିଁ । ତେବେ ସେମାନଙ୍କୁ ସରକାରୀ ଜାଗାରେ ଥଇଥାନ କରାଯିବ । ସେଠାରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ବିଜୁଳି ସଂଯୋଗ, ପାନୀୟ ଜଳ, ଖେଳ ପଡ଼ିଆ ଭଳି ସୁବିଧା ମିଳିବ । ସହର ଭଳି 1 bhk, 2 bhk ଷ୍ଟାଣ୍ଡଡର ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ବି ମିଳିବ ।