ମହାକୁମ୍ଭମେଳା ପାଇଁ ପୁଣି ଅଯୋଧ୍ୟାକୁ ଗଡିଲା OSRTC ବସ୍

ଭୁବନେଶ୍ୱର: ମହାକୁମ୍ଭମେଳା ପାଇଁ ପୁଣି ଅଯୋଧ୍ୟାକୁ ଗଡିଲା OSRTC ବସ୍ । ଫେବ୍ରୁଆରୀ ୫ ତାରିଖ ରୁ ବସ୍ ସେବା ଆରମ୍ଭ ହୋଇଥିବା ଓଏସଆରଟିସି ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ମୌନୀ ଅମାବାସ୍ୟାରେ ଅମୃତ ସ୍ନାନ ପୂର୍ବରୁ ପ୍ରବଳ ଜନ ସମାଗମ ହେତୁ ମହାକୁମ୍ଭ ମେଳାରେ ବଡ ଅଘଟଣ ଘଟିଥିଲା । ପ୍ରୟାଗରାଜ ସଙ୍ଗମ ସ୍ଥଳ ନିକଟରେ ଦଳାଚକାଟା ଘଟଣାରେ ଏପର୍ଯ୍ୟନ୍ତ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ଉତ୍ତରପ୍ରଦେଶ ସରକାର ସ୍ପଷ୍ଟ କରିଥିଲେ । ସେଥି ପାଇଁ ମହାକୁମ୍ଭକୁ ଓଡିଶାରୁ ଓଏସଆରଟିସିର ସ୍ୱତନ୍ତ୍ର ବସ ସେବା ବନ୍ଦ କରାଯାଇଥିଲା । ସେହିପରି ଯାତ୍ରା ପାଇଁ ଆଗ୍ରୀମ ଟିକେଟ ବୁକିଂ କରିଥିବା ଯାତ୍ରୀ ସେମାନଙ୍କର ଟଙ୍କା ଫେରସ୍ତ ପାଇଥିଲେ । ସେମାନଙ୍କ ପାଇଁ ଏକ ହେଲ୍ପ- ଲାଇନ ନମ୍ବର ଜାରି କରାଯାଇଥିଲା । ଉକ୍ତ ନମ୍ବରରେ ସେମାନେ ଯୋଗାଯୋଗ କରି ସେମାନଙ୍କ ଟିକେଟ ସମ୍ପର୍କିତ ସୂଚନା ଦେଇ ଟଙ୍କା ଫେରସ୍ତ ପାଇଥିଲେ । କିନ୍ତୁ ଏବେ ପୁଣି ଏହି ସେବା ଆରମ୍ଭ କରାଯାଇଛି ।