ଚାନ୍ଦା ଆଦାୟକୁ କେନ୍ଦ୍ର କରି ବୃଦ୍ଧଙ୍କୁ ଆକ୍ରମଣ

(ସରୋଜ ରାଉତ) ଭୁବନେଶ୍ୱର: ଗଣେଶ ପୂଜା ଚାନ୍ଦା ଆଦାୟକୁ କେନ୍ଦ୍ରକରି ବୃଦ୍ଧଙ୍କୁ ମରଣାତ୍ମକ ଆକ୍ରମଣ । ଭୁବନେଶ୍ୱରର ଅଶୋକ ନଗର ଅଞ୍ଚଳରେ ଏହି ଆକ୍ରମଣ ହୋଇଛି । ହୋଟେଲ ସିଟି ରେସିଡେନ୍ସିର ମାଲିକ ଆକ୍ରମଣର ଶୀକାର ହୋଇଛନ୍ତି । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଗଣେଶ ପୂଜା ସମୟରେ ଅଶୋକନଗରର ଏକ କ୍ଲବ ପକ୍ଷରୁ ପୂଜା ପାଇଁ ଚାନ୍ଦା ଆଦାୟ ହେଉଥିଲା । କ୍ଲବର ପିଲା ଅଶୋକ ନଗର ଜଣେ ବୃଦ୍ଧଙ୍କୁ ଚାନ୍ଦା ମାଗିଥିଲେ । ବୃଦ୍ଧଙ୍କର ଗୋଟିଏ ହୋଟେଲ ଓ ଗୋଟିଏ ଗାର୍ମେଣ୍ଟ ବ୍ୟବସାୟ ରହିଛି । ବୃଦ୍ଧ ଚାନ୍ଦା ବାବଦକୁ ୧୨୦୦ ଟଙ୍କା ଦେଇଥିଲେ ମଧ୍ୟ ଏହାକୁ କ୍ଲବ ପିଲା ଗ୍ରହଣ କରିନଥିଲେ । ବରଂ ତାଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ । କିନ୍ତୁ ବୃଦ୍ଧ ଏତେ ଟଙ୍କା ଦେବାକୁ ମନା କରିଥିଲେ । ଏହା ମଧ୍ୟରେ ପୂଜା ସରିଛି । କ୍ଲବ ପିଲା ଆଜି ଯାଇ ତାଙ୍କୁ ଚାନ୍ଦା ମାଗିବାରୁ ସେ ଏତେ ଟଙ୍କା ଦେବାକୁ ମନା କରିଥିଲେ । ଏହାକୁ ନେଇ ପିଲାମାନେ ବୃଦ୍ଧଙ୍କୁ ମାଡ ମାରିଥିଲେ । ମାଡରେ ବୃଦ୍ଧଙ୍କ ମୁଣ୍ଡ ଓ ଆଖିରେ ଆଘାତ ଲାଗିଛି । ଏହାକୁ ନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ।