ରାଜ୍ୟରେ ଆଜି କମିଛି ବର୍ଷା , ଟଳିଲା ବନ୍ୟା ଆଶଙ୍କା

ଲଘୁଚାପ ପଳାଇବା ପରେ ରାଜ୍ୟରେ ବର୍ଷା କମିଛି। ବୁଧବାରଠାରୁ ଛତିଶଗଡ଼ରେ ବି ବର୍ଷା ପ୍ରାୟତଃ କମିଯିବ ।

(ଭୁବନେଶ୍ୱର) : ଲଘୁଚାପ ପଳାଇବା ପରେ ରାଜ୍ୟରେ ବର୍ଷା କମିଛି। ବୁଧବାରଠାରୁ ଛତିଶଗଡ଼ରେ ବି ବର୍ଷା ପ୍ରାୟତଃ କମିଯିବ । ତେଣୁ ଉପରମୁଣ୍ଡରେ ବଡ଼ ବର୍ଷା ସମ୍ଭାବନା ଏବେ ନାହିଁ । ଏଭଳି ସ୍ଥିତିରେ ମହାନଦୀରେ ବନ୍ୟା ଆଶଙ୍କା ଟଳିଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ରିପୋର୍ଟ ଦେଇଛି, ଲଗାଣ ବର୍ଷାରେ ରାଜ୍ୟର ୨୦ଟି ଜିଲ୍ଲାର ୧୧୧ଟି ବ୍ଲକ ଅନ୍ତର୍ଗତ ୩୬୯୬ ଗାଁ ଏବଂ ୨୭ଟି ପୌରାଞ୍ଚଳର ମୋଟ ୨୦ ଲକ୍ଷ ୪୬ ହଜାର ୧୨୨ଜଣ ଲୋକେ ପ୍ରଭାବିତ ହୋଇଛନ୍ତି । ୨୮୭୦ଟି ଘର କ୍ଷତିଗ୍ରସ୍ତ ହୋଇଛି ।

ସୂଚନାନୁଯାୟୀ , ଜଳକା ଜଳସ୍ତର ବିପଦ ସଙ୍କେତ ୫.୫୦ ମିଟରଠାରୁ ଉପରେ ରହିଛି । ସନ୍ଧ୍ୟା ୬ଟାବେଳେ ମଥାନିରେ ୬.୩୭ ମିଟରରେ ପ୍ରବାହିତ ହେଉଥିଲା ଜଳକା । କାଶୀନଗରରେ ବଂଶଧାରା ଜଳସ୍ତର ସତର୍କ ସଙ୍କେତ ଉପରେ ଥିବାବେଳେ ଏଠାରେ ପାଣି କମୁଛି। ଆଶ୍ୱସ୍ତିର କଥା ହେଲା, ଲଘୁଚାପ ଓଡ଼ିଶାରୁ ବହୁ ଦୂରକୁ ପଳାଇଛି। ଛତିଶଗଡ଼ ଦେଇ ପହଞ୍ଚିଲାଣି ମଧ୍ୟପ୍ରଦେଶରେ । ଏବେ ରାଜ୍ୟରେ ଆଉ ବିଶେଷ ବର୍ଷା ସମ୍ଭାବନା ନାହିଁ ।