ନୂଆଦିଲ୍ଲୀ: ଦୌଡରାଣୀ ପିଟି ଉଷା, ସଙ୍ଗୀତ ନିର୍ଦ୍ଦେଶକ ଇଲାୟାରାଜା, ନିର୍ଦ୍ଦେଶକ ଭି ବିଜୟେନ୍ଦ୍ର ପ୍ରସାଦ ଏବଂ ସମାଜସେବୀ ବୀରେନ୍ଦ୍ର ହେଗେଡେଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଚ୍ଚ ସଦନକୁ ମନୋନୀତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପିଟିଉଷା ପ୍ରତ୍ୟେକ ଭାରତୀୟଙ୍କ ପ୍ରେରଣାର ଉତ୍ସ। କ୍ରୀଡା କ୍ଷେତ୍ରରେ ତାଙ୍କ ପ୍ରଦର୍ଶନ ସମସ୍ତେ ଜାଣନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେହିପରି ବିଜୟେନ୍ଦ୍ର ପ୍ରସାଦ ଗୁରୁଙ୍କ ବିଷୟରେ କହିଛନ୍ତି ଯେ ଶ୍ରୀ ପ୍ରସାଦ ଅନେକ ଦଶନ୍ଧି ଧରି ସୃଜଳଶୀଳ ଜଗତ ସହ ଜଡିତ ଅଛନ୍ତି। ଦେଶ ତଥା ଦେଶ ବାହାରେ ତାଙ୍କର ସୁନାମ ରହିଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ସମାଜସେବୀ ଶ୍ରୀ ହେଗେଡେ ହେଉଛନ୍ତି ଆଗଧାଡିର ଜଣେ ସମାଜସେବୀ ଓ ବଡ ବଦାନ୍ୟ ବ୍ୟକ୍ତି, ଜନକଲ୍ୟାଣ ପାଇଁ ଅନେକ କିଛି କରିଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ସେହିପରି ଫିଲ୍ମ ନିର୍ଦ୍ଦେଶକ ବିଜୟେନ୍ଦ୍ର ପ୍ରସାଦ ବାହୁବଳୀ, ବଜରଙ୍ଗୀ ବାଇଜାନ, ଆରଆରଆର ଭଳି ଚଳଚ୍ଚିତ୍ରର କାହାଣୀ ରଚନା କରିଛନ୍ତି। ବଜରଙ୍ଗୀ ଭାଇଜାନ ଲାଗି ୨୦୧୬ରେ ତାଙ୍କୁ ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା। ସମ୍ବାଧାନିକ ନିୟମାନୁସାରେ ୨୪୫ ଆସନ ବିଶିଷ୍ଟ ରାଜ୍ୟସଭାକୁ ୨୩୩ ଜଣ ସଭ୍ୟ ନିର୍ବାଚିତ ହୁଅନ୍ତି। ରାଷ୍ଟ୍ରପତି ୧୨ ଜଣ ସଦସ୍ୟଙ୍କୁ ମନୋନୀତ କରିଥାନ୍ତି। ସେମାନଙ୍କ ମଧ୍ୟରେ କଳା, ବିଜ୍ଞାନ, ବାଣିଜ୍ୟ, ସମାଜସେବା ଭଳି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ମନୋନୀତ କରିଥାନ୍ତି।