କରୋନାର ଆଉ ଏକ ନୂଆ ଭାରିଆଣ୍ଟକୁ ଲାମ୍ବଡା ନାମ ଦେଲା ଡବ୍ଲୁଏଚଓ

ନୂଆଦିଲ୍ଲୀ: ଡେଲଟା ଭାରିଏଣ୍ଟକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଆଉ ଗୋଟିଏ ନୂଆ ଷ୍ଟ୍ରେନ ସମ୍ପର୍କରେ ସୂଚନା ଦେଇଛି। ଏହାର ନାମ ଡବ୍ଲୁଏଚଓ ଦେଇଛି ଲାମ୍ବଡା । ଏହା ୨୯ଟି ଦେଶରେ ଠାବ ହୋଇଥିବା ଜଣାପଡ଼ିଛି। ଡବ୍ଲୁଏଚଓ ଏହି ଭାରିଆଣ୍ଟ ଉପରେ ପରୀକ୍ଷାନିରୀକ୍ଷା ଜାରି ରଖିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସାପ୍ତାହିକ ବୁଲେଟିନରେ କୁହାଯାଇଛି, ଏହି ଲାମ୍ବଡା ଭାରିଏଣ୍ଟ ପ୍ରଥମେ ପେରୁରେ ଠାବ ହୋଇଥିଲା। ୨୦୨୦ ଅଗଷ୍ଟ ମାସରୁ ଏହି ଭାରିଏଣ୍ଟ ସମ୍ପର୍କରେ ସୂଚନା ମିଳିଥିଲା। ବର୍ତ୍ତମାନ ସୁଦ୍ଧା ଏହା ୨୯ଟି ରାଷ୍ଟ୍ରରେ ଚିହ୍ନଟ ହୋଇଛି। ଏହା କେତେ ମାରାତ୍ମକ ଓ ଏହାର ସଂକ୍ରମଣ ବେଗ କେତେ, ସେ ବିଷୟରେ ଜାଣିବା ପାଇଁ ଉଦ୍ୟମ ଜାରି ରହିଛି। ଲାମ୍ବଡା ଭାରିଏଣ୍ଟରେ ଅତ୍ୟଧିକ ମ୍ୟୁଟେସନ ହୋଇଥାଏ। ତେଣୁ ଏହା ସଂକ୍ରମଣକୁ ବୃଦ୍ଧି କରିପାରେ।
ଚଳିତ ଏପ୍ରିଲରେ ପେରୁରେ ଚିହ୍ନଟ ହୋଇଥିବା ସମସ୍ତ କରୋନା ସଂକ୍ରମିତଙ୍କ ମଧ୍ୟରେ ୮୧% ଲୋକ ଲାମ୍ବଡା ଭାରିଏଣ୍ଟରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଗତ ୬୦ ଦିନ ମଧ୍ୟରେ ଚିଲିରୁ ଜେନୋମ ସ୍ୱିକେନ୍ସିଂ ପାଇଁ ପଠାଯାଇଥିବର ମୋଟ ନମୁନା ମଧ୍ୟରୁ ୩୨% ଲାମ୍ବଡା ଭାରିଏଣ୍ଟ ଥିବା ଜଣାପଡିଛି।