ଭୁବନେଶ୍ୱର: ଅନୁସୂଚିତ ଜଣ ଜାତି ତାଲିକା ପ୍ରସଙ୍ଗରେ ପୁଣିଥରେ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଚିଠି ଲେଖି ନବୀନ ଅବଗତ କରାଇଛନ୍ତି ଯେ ଅନୁସୂଚିତ ଜନ ଜାତି ତାଲିକାରେ ରାଜ୍ୟର ୧୬୦ ରୁ ଅଧିକ ଜନ ଜାତିଙ୍କୁ ସାମିଲ କରିବା ପ୍ରସ୍ତାବକୁ କାର୍ୟ୍ୟକାରୀ କରାଯାଉନାହିଁ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଟାସ୍କଫୋର୍ସ ରାଜ୍ୟର ୯ଟି ପ୍ରସ୍ତାବକୁ ଅଗ୍ରାଧିକାର ଭିତିରେ ଅନୁସୂଚିତ ଜନଜାତି ତାଲିକା ଭୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ। ବହୁ ଜନଜାତି ଏପର୍ୟ୍ୟନ୍ତ କିନ୍ତୁ ତାଲିକା ଭୁକ୍ତ ହୋଇନାହାନ୍ତି। ଏ ନେଇ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଚିଠି ଲେଖି ରାଜ୍ୟ ପ୍ରସ୍ତାବ ଉପରେ ବିଚାର କରିବାକୁ ନବୀନ ଦାବି କରିଛତି। ୧୯୭୮ରୁ ରାଜ୍ୟ ସରକାର ଏହାରି ଭିତରେ ୧୬୦ ଜନଜାତିଙ୍କୁ ତାଲିକା ଭୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏସବୁ ପ୍ରସ୍ତାବ ଅନୁସୂଚିତ ଜନଜାତି ଉପଦେଷ୍ଟା ପରିଷଦର ଅନୁମୋଦନ ପରେ କେନ୍ଦ୍ରକୁ ପଠାଯାଇଛି। ଦୀର୍ଘ ଦିନରୁ ରାଜ୍ୟ ସରକାର ଏ ଦାବି କରିଆସୁଥିଲେ ମଧ୍ୟ ଜନଜାତି ଲୋକମାନେ ତାଲିକା ଭୁକ୍ତ ହୋଇ ପାରୁନଥିବାରୁ ସେମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସୁବିଧା ସୁଯୋଗ ମିଳିପାରୁନାହିଁ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।