ଝାରସୁଗୁଡା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡ଼ା ଏଡିଜେ କୋର୍ଟରେ ଶୁଣାଣି ଆଜି । ଅନ୍ୟତମ ମୁଖ୍ୟ ସାକ୍ଷୀ ତତ୍କାଳୀନ ବ୍ରଜରାଜନଗର IICଙ୍କ ସାକ୍ଷ୍ୟ ଗ୍ରହଣ ହେବ । ତତ୍କାଳୀନ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କର ସାକ୍ଷ୍ୟ ଗ୍ରହଣ କରାଯିବ । ଗତ ମାର୍ଚ୍ଚରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସାନି ତଦନ୍ତ ଆରମ୍ଭ ହୋଇଥିଲା । ତେବେ ସାକ୍ଷ୍ୟ ଗ୍ରହଣ ସମୟରେ ତମାମ ପ୍ରସଙ୍ଗରେ ଶ୍ରୀ ସ୍ବାଇଁଙ୍କୁ ଜେରା କରାଯାଇପାରେ । ୨୦୨୩ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀ ଛକରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ଘଟଣାସ୍ଥଳରେ ଅଭିଯୁକ୍ତ ଗୋପାଳ ଦାସ ହାତରେ ବନ୍ଧୁକ ଧରି ଛିଡ଼ା ହୋଇଥିବା ଦୃଶ୍ୟ ଭିଡିଓରେ ଉତ୍ତୋଳିତ ହୋଇଥିଲା। ଠିକ୍ ସେହି ସମୟରେ କିଛି ବ୍ୟକ୍ତିଙ୍କ ମୋବାଇଲ୍ରେ ଆଉ ଏକ ଦୃଶ୍ୟ ବି କଏଦ୍ ହୋଇଥିଲା। ତତ୍କାଳୀନ ଥାନାଧିକାରୀ ପ୍ରଦ୍ୟୁମ୍ନ ସ୍ବାଇଁ ଓ ଅନ୍ୟ ପୁଲିସ କର୍ମଚାରୀ ଗୋପାଳର କଲର ଧରି ତାକୁ କାବୁ କରିଥିବାବେଳେ ସେହି ଭିଡ଼ ଭିତରୁ ଜଣେ ଯୁବକ ଆଉ ଏକ ବନ୍ଧୁକ ଧରି ବାହାରିବା ସହ ତାକୁ ପ୍ରଦର୍ଶନ କରି ବୁଲୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଉକ୍ତ ବନ୍ଧୁକ ସଂପର୍କରେ ପୁଲିସ ନିଜ ତଦନ୍ତ ରିପୋର୍ଟରେ କୌଣସି ତଥ୍ୟ ପ୍ରକାଶ କରିନଥିଲା।