ଯାଜପୁର: ମା’ ଭୁଲିଗଲା ମମତା । ବର୍ବରତାର ସବୁ ସୀମା କଲା ପାର । ଯିଏ ଦଶ ମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥିଲା ଶେଷରେ ସେ ହିଁ ପାଲଟିଗଲା ବଇରି ।ମା’କୁ ଭଗବାନଙ୍କ ସହ ତୁଲନା କରାଯାଏ, କିନ୍ତୁ ଯେଉଁ ହାତରେ ନିଜ କଅଁଳ ଶିଶୁକୁ ଗେଲ ବସରରେ ବଢାଇବା କଥା, ସେଇ ହାତରେ ନିଜ ଜନ୍ମ କଲା ଶିଶୁକୁ ମା’ ଦେଉଥିଲା ଲୁହା ଚେଙ୍କ ।
ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ବରି ଥାନା ଅଞ୍ଚଳରୁ । ବରି ଥାନା ଅନ୍ତର୍ଗତ ଛତିଆ ଗୋପପୁର ଅଞ୍ଚଳରେ ଜଣେ ମହିଳା ନିଜ ଜନ୍ମ କଲା ଶିଶୁକୁ ଏପରି ଅକଥନୀୟ ଅତ୍ୟାଚାର ଦେଉଥିବା ଘଟଣା ସାମ୍ନାକୁ ଆସିଛି । ମହିଳା ଜଣକ ନିଜର ୪ ବର୍ଷର ଶିଶୁକୁ ନିଷ୍ଠୁର ମାଡ ମାରିବା ସହ ସିଗାରେଟ ଓ ଲୁହା ରଡରେ ଚେଙ୍କ ଦେଉଥିଲେ । କଅଁଳ ବୟସରେ ମା’ର ସ୍ନେହ ପ୍ରେମ ବଦଳରେ ମା ଠୁ ମିଳୁଥିଲା ଅକଥନୀୟ ଯନ୍ତ୍ରଣା । ଛତିଆ ଅଞ୍ଚଳରେ ମହିଳା ଜଣକ ଏକ ଭଡା ଘରେ ନିଜର ୪ ବର୍ଷର ଶିଶୁକୁ ଏଭଳି ନିର୍ଯାତନା ଦେଉଥିବାବେଳେ ଛୁଆର ଚିକ୍ରାର ଶୁଣି ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର ଦେଇଥିଲେ । ଖବର ପାଇ ଶିଶୁ ସୁର କ୍ଷା ଅଧିକାରୀ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିଲେ । ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ତାର ଚିକିତ୍ସା ଜାରି ରହିଛି । ତେବେ କେଉଁ କାରଣରୁ ମା’ଟି ନିଜ ଶିଶୁ ପ୍ରତି ଏଭଳି ଅତ୍ୟାଚାର କରୁଥିଲା ତାହା ସ୍ପଷ୍ଟ ହୋଇନାହିଁ ।