କେନ୍ଦୁଝର : ପୋଖରୀରେ ବୁଡ଼ି ମା, ପୁଅ ,ଝିଅ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଅଂଚଳରେ । ପୁଅ ଓ ଝିଅଙ୍କୁ ବୁଡ଼ିଯାଉଥିବା ବେଳେ ବଂଚେଇବାକୁ ଯାଇ ମାର ମଧ୍ୟ ମୃତ୍ୟୁ ଘଟିଛି । ୭ ବର୍ଷର ପୁଅ ଓଁମ ପ୍ରକାଶ ମହାକୁଡ଼ ଓ ୫ ବର୍ଷର ଝିଅ ସୁନିତା ମହାକୁଡ଼ ସହ ମା ମୃତ ରେ ସାରା ଅଂଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ଘର ନିକଟରେ ଥିବା ପୋଖରୀକୁ ଦୁଇ ପୁଅ ଝିଅକୁ ନେଇ ମା କାମିନୀ ଗାଧୋଇବା ପାଇଁ ଯାଇଥିଲେ । ମା ଲୁଗା ସଫା କରିବା ସମୟରେ ପୁଅ ଝିଅ ପୋଖରୀର ଗଭୀର ପାଣିରେ ବୁଡି ଯାଉଥିବା ଦେଖି ମା ଦୁଇ ଛୁଆଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଗଭୀର ପାଣିରେ ବୁଡି ଜୀବନ ହରାଇଛନ୍ତି । ନିକଟରେ ଥିବା ଛୋଟ ପୁଅଟି ଘରକୁ ଫେରି ଆସି ଜେଜେମାଙ୍କୁ ଜଣାଇବା ପରେ ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ବହୁ ଉଦ୍ୟମ କରି ପୋଖରୀ ଭିତରୁ ମୃତ ଅବସ୍ଥାରେ ମା ଓ ଦୁଇଙ୍କୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ସମସ୍ତ ମୃତଦେହକୁ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।