ଚିକିଟି-: ଅଚାନକ ସ୍କୁଲ ବୁଲି ଅନୁଧ୍ୟାନ କରିବା ସହ ବିଧାୟକ ପରଖିଲେ ମଧ୍ୟାହ୍ନ ଭୋଜନ । ମଧ୍ୟାହ୍ନ ଭୋଜନ ମାନ ଯାଞ୍ଚ ସହ ଶିକ୍ଷକ ଉପସ୍ଥାନ ବି ଦେଖିଲେ । ଗଞ୍ଜାମ ଚିକିଟି ବ୍ଲକ ରାମଚନ୍ଦ୍ରପୁର ଜଗନ୍ନାଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଜି ଅଚାନକ ଗସ୍ତ କରିଥିଲେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା । ପିଲାମାନେ ମଧ୍ୟାହ୍ନ ଭୋଜନ ଖାଉଥିବା ଦେଖି କିଭଳି ଲାଗୁଛି ବୋଲି ପଚାରିବା ସହ ଖାଦ୍ୟ ଯାଞ୍ଚ କରିଥିଲେ ବିଧାୟକ ।

ସୂଚନା ଅନୁଯାୟୀ, ଚିକିଟି ବିଧାୟକ ଅଚାନକ ରାମଚନ୍ଦ୍ରପୁର ଜଗନ୍ନାଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ବୁଲି ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଖାଦ୍ୟର ଗୁଣବତ୍ତା ମୂଲ୍ୟାଙ୍କନ କରିଥିଲେ । ବିଧାୟକ ମଧ୍ୟାହ୍ନ ଭୋଜନରେ ପରିବେଷଣ କରାଯାଉଥିବା ଖାଦ୍ୟ ଉପରେ ଛାତ୍ରଛାତ୍ରୀଙ୍କ ମତାମତ ଲୋଡ଼ିଥିଲେ । ସେ ନିଜେ ପ୍ରସ୍ତୁତ ଖାଦ୍ୟର ଗୁଣବତ୍ତା ଏବଂ ସ୍ୱାଦ ମୂଲ୍ୟାଙ୍କନ କରିବା ପାଇଁ ଖାଦ୍ୟ ମଧ୍ୟ ଖାଇଥିଲେ । ଏହା ପରେ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥାନ ଦେଖିଥିଲେ । ଉପସ୍ଥାନ ଖାତାରେ ଦୁଇ ଦିନ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଆଗୁଆ ଦସ୍ତଖତ କରିଥିବା ଦେଖି ବିଧାୟକ ଏନେଇ ବ୍ଲକ ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିଥିବା ସୂଚନା ମିଳିଛି ।
