ମଣିପୁରରେ ଚାଷୀଙ୍କ ଉପରକୁ ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣ; ୨ ମୃତ

ମଣିପୁର: ଥମିବାର ନାଁ ନେଉନି ମଣିପୁର ହିସାଂ। କଡା ସୁରକ୍ଷା ସତ୍ତ୍ୱେ ପୁଣି ଅଶାନ୍ତ ହୋଇଛି ମଣିପୁର । ଗୁଳିମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗତ ମେ’ ମାସରୁ ରାଜ୍ୟରେ ହିଂସା ସ୍ଥିତି ଜାରି ରହିଥିବା ବେଳେ ଅନେକଙ୍କର ମୃତ୍ୟୁ ଘଟିଛି ।ତେବେ ପୁଣି ମଣିପୁରରେ ଚାଷ କାର୍ଯ୍ୟ ପାଇଁ ଲୋକ କ୍ଷେତକୁ ଯାଉଥିବା ବେଳେ, ହିଂସାର ଶିକାର ହେଉଛନ୍ତି । ନରଣସୈନା ଗାଁର କିଛି ଚାଷୀ ଜମିରେ କାମ କରୁଥିବା ବେଳେ ହଠାତ୍ ତାଙ୍କ ଉପରକୁ ଗୁଳି ଚାଳନା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ଆଉ ଏପରି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ପାଖରୁ ବନ୍ଧୁକ, ଗୁଳି ସହ ବିସ୍ଫୋରକ ଜବତ କରାଯାଇଛି ।

ପୋଲିସ କହିଛି ଯେ ବିଷ୍ଣୁପୁର ଏବଂ ଚୁରାଚାନ୍ଦପୁର ଜିଲ୍ଲା ସୀମା ନିକଟରେ ଥିବା ଏକ ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ସଶସ୍ତ୍ର ବ୍ୟକ୍ତିଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।
ତେବେ ଅଘଟଣର ଆଶଙ୍କା କରି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଉ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଲାଇଛି।