ଜାତୀୟ କିନ୍ନର କଲ୍ୟାଣ ପରିଷଦରେ ପୂର୍ବ ଜୋନ ପାଇଁ ମିରା ପରିଡା ମନୋନୀତ

ଭୁବନେଶ୍ୱର: ପରିବାରରେ ସନ୍ତାନଟିଏ ଜନ୍ମ ହେଲେ ପରିବାରରେ ଖୁସିର ଲହରି ଖେଳିଯାଏ । କିନ୍ତୁ ସମୟକ୍ରମେ ଯେତେବେଳେ ଜଣାପଡେ ସେ ତୃତୀୟ ଲିଙ୍ଗୀ ସେତେବେଳେ ପରିବାରର ସବୁ ଖୁସିରେ ଭଟା ପଡିଯାଏ । ଅବଶ୍ୟ ତୃତୀୟ ଲିଙ୍ଗୀଙ୍କ ଜୀବନଧାରାରେ କେତେକାଂଶରେ ପରିବର୍ତ୍ତନ ଆସିଛି, କିନ୍ତୁ ଏବେ ମଧ୍ୟ ଆମ ସମାଜରେ ତୃତୀୟ ଲିଙ୍ଗୀ ବା କିନ୍ନରଙ୍କୁ ହୀନ ଦୃଷ୍ଟିରେ ଦେଖା ଯାଉଛି । ତେଣୁ ଏମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ପକ୍ଷରୁ ପ୍ରୟାସ କରାଯାଉଛି । ଦେଶରେ କିନ୍ନରମାନଙ୍କ ଉନ୍ନତି ଓ କଲ୍ୟାଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ଜାତୀୟ ପରିଷଦ । ଏହି ଜାତୀୟ ପରିଷଦରେ ସ୍ଥାନ ପାଇଛନ୍ତି ଓଡିଶାର କିନ୍ନର ତଥା ଓଡିଶା ମୋ ପରିବାରର ସମ୍ପାଦିକା ମିରା ପରିଡା ।
ଏହି ପରିଷଦର ପୂର୍ବ ଜୋନର ସଦସ୍ୟ ରୂପେ ମୀରା ପରିଡ଼ାଙ୍କୁ ମନୋନୀତ କରାଯାଇଛି । ପରିଷଦର ୫ଟି ଜୋନ ପାଇଁ କିନ୍ନର ଗୋଷ୍ଠୀର ସଦସ୍ୟ ମନୋନୀତ ହୋଇଛନ୍ତି । ମନୋନୀତ ଏହି ୫ଟି ଜୋନର ସଦସ୍ୟମାନଙ୍କର ୩ ବର୍ଷର କାର୍ଯ୍ୟକାଳ ରହିବ । ଓଡ଼ିଶାରୁ ପୂର୍ବ ଜୋନର ସଦସ୍ୟ ରୂପେ ମନୋନୀତ ମୀରା ପରିଡ଼ା କିନ୍ନର ସମ୍ପ୍ରଦାୟର ଉନ୍ନତି ପାଇଁ ଦୀର୍ଘଦିନରୁ କାମ କରି ଆସୁଛନ୍ତି । ସେମାନଙ୍କୁ ସ୍ୱାବଲମ୍ବୀ କରିବା, ସମ୍ମାନର ସହ ଜୀବନ ବଞ୍ଚିବାର ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ସମ୍ପ୍ରତି ସେ ବିଜେଡି ଦଳରେ ଜଣେ ସକ୍ରିୟ ସଦସ୍ୟା ହୋଇଛନ୍ତି । ଜାତୀୟ ପରିଷଦର ପୂର୍ବ ଜୋନର ସଦସ୍ୟ ରୂପେ ମନୋନୀତ ହେବା ପରେ ଓଡିଶା କିନ୍ନରଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି । ଏହି ଗୁରୁ ଦାୟିତ୍ୱ ମିଳିବା ପରେ ମିରା କହିଛନ୍ତି, ବର୍ତ୍ତମାନ ତାଙ୍କ ଦାୟିତ୍ୱ ଆହୁରି ବଢିଯାଇଛି । ସେ ରାଜ୍ୟ କିନ୍ନରଙ୍କ ଉନ୍ନତି ପାଇଁ ପଦକ୍ଷେପ ନେବେ ଓ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟକରିବେ ।