ପୁରୀ : ଚୈତ୍ର ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ଆଜି ମହାପ୍ରଭୁଙ୍କ ଦୟଣା ଚୋରି ନୀତି ହେବ। ଏହି ନୀତି ଜଗନ୍ନାଥ ବଲ୍ଲଭରେ ସମ୍ପନ୍ନ କରାଯିବ। ଏଥିରେ ମହାପ୍ରଭୁ ଦୟଣା ଚୋରି କରିବେ। ଏହା ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ। ୧୧ ତାରିଖ ଅର୍ଥାତ ଶୁକ୍ରବାର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦମନକ ଚତୁର୍ଦଶୀ ନୀତି ହେବ। ତେଣୁ ଆଜି ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ସରିବା ପରେ ଏହି ନୀତି ଆରମ୍ଭ ହେବ। ଏଥିପାଇଁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମ-କୃଷ୍ଣ ଜଗନ୍ନାଥ ବଲ୍ଲଭ ମଠ ପରିସରକୁ ବିଜେ କରିବେ। ଅନ୍ୟପକ୍ଷରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୟଣା ଚୋରି ଓ ଦମନକ ଚତୁର୍ଦ୍ଦଶୀ ନୀତି ସମ୍ପାଦନକୁ ଦୃଷ୍ଟିରେ ରଖି ଗୁରୁବାର ଓ ଶୁକ୍ରବାର ଦୁଇଦିନ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ। ଏହାପରେ ପୁନଶ୍ଚ ରତ୍ନଭଣ୍ଡାର କାମ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।