ଭୁବନେଶ୍ଵର: ଘୁଞ୍ଚିଲା ମହାନଦୀ ଜଳବିବାଦ ପ୍ରସଙ୍ଗରେ ଆଜି ଟ୍ରିବ୍ୟୁନାଲରେ ହେବାକୁ ଥିବା ଶୁଣାଣି । ଆସନ୍ତା ସେପ୍ଟେମ୍ବର ୬ ତାରିଖକୁ ଘୁଞ୍ଚିଲା ଟ୍ରିବ୍ୟୁନାଲ ଶୁଣାଣି । ଉଭୟ ରାଜ୍ୟର ମୁଖ୍ୟଶାସନ ସଚିବ ଏବଂ ରାଜନୈତିକସ୍ତରରେ ଆଲୋଚନା କରିବା ସହ ଆପୋଷ ବୁଝାମଣା ଆଡକୁ କଥା ବଢିଛି। ସମାଧାନ ପାଇଁ ଉଭୟ ପକ୍ଷ ରାଜି ଥିବା ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଟ୍ରିବ୍ୟୁନାଲକୁ ଅବଗତ କରାଇଛନ୍ତି l ଏହା ପୂର୍ବରୁ ମହାନଦୀ ଜଳ ବିବାଦର ସମାଧାନ ଲାଗି ସର୍ବଦଳୀୟ ବୈଠକ ଡକାଯାଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟଙ୍କ ସହ ବିଭିନ୍ନ ସାମାଜିକ ସଙ୍ଗଠନର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

ଅନ୍ୟପଟେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ମହାନଦୀ ଜଳ ବିବାଦର ପ୍ରତିଉତ୍ତର ରଖି ଆପୋସ ଆଲୋଚନାରେ ସମାଧାନ ନେଇ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । ଗତ ୨୫ରେ ଲେଖିଥିବା ଚିଠି ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସହମତି ଦେଲେ । ଏହା ବିଚାରାଧୀନ ଅଛି ବୋଲି ଚିଠିରେ ସ୍ପଷ୍ଟ କରିଛନ୍ତି । ସେପଟେ ମହାନଦୀ ଜଳବିବାଦର ସମାଧାନର ବାଟ ଖୁବ ଶୀଘ୍ର ବାହାରିବ । ଏନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଟ୍ରିବ୍ୟୁନାଲ ତାରିଖ ବନ୍ଦ ହେବ, ଆପୋସ ଆଲୋଚନାରେ ସମାଧାନ ହେବ । ଛତିଶଗଡ଼ର ଏହାକୁ ନେଇ ବିଶେଷ କିଛି ସମସ୍ୟା ଥିଲା ପରି ମନେ ହେଉନି । ଛତିଶଗଡ଼ ଓ କେନ୍ଦ୍ର ସହ ଆପୋସ ସମାଧାନ ନେଇ ମୁଁ ଆଶାବାଦୀ । ବିଗତ ସରକାର ସେ ଦିଗରେ ଚିନ୍ତା କଲେନି, ଯେଉଁଥିପାଇଁ ଓଡ଼ିଶା ଆଜି ଏଭଳି ସ୍ଥିତିରେ ଅଛି ବୋଲି କହିଛନ୍ତି ମନମୋହନ ସାମଲ ।