ଭୁବନେଶ୍ୱର: ଦୁର୍ଗାପୂଜାକୁ ନେଇ ପଲ୍ଲୀଠୁ ସହର ଚଳଚଞ୍ଚଳ । ମଣ୍ଡପରେ ଲାଗିଲାଣି ଗହଳି । ଆଜି ଧରାବତରଣ କରିବେ ମାଆ ଦୁର୍ଗା । ଶକ୍ତିପୀଠରେ ଆଜି ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ଆଜି ସପ୍ତମୀ ପୂଜା କରାଯାଉଛି । ଚଣ୍ଡିପାଠର ଗୁଞ୍ଜରଣରେ ପ୍ରକମ୍ପିତ ହେଉଛି ପରିବେଶ । ଭୋରରୁ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ନବପତ୍ରିକା ପ୍ରବେଶ ଓ ମାଆଙ୍କର ମହାସ୍ନାନ ପରେ ଚକ୍ଷୁଦାନ କରାଯିବ ।
ପରେ ନୀତିକାନ୍ତି ଅନୁଯାୟୀ କରାଯିବ ସପ୍ତମୀ ପୂଜା । ସେପଟେ ଶକ୍ତିପୀଠରେ ଶୋଡ଼ଷ ଉପଚାରରେ ଚାଲିଛି ମାଆଙ୍କ ଆରାଧନା । ଜଗତସିଂହପୁରର ମାଆ ଶାରଳା ଓ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ପୀଠରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା ବିମଳାଙ୍କର ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ଅଷ୍ଟମୀ ପୂଜାରେ ମାଆ କାକୁଡି ଖାଇଙ୍କ ନିକଟରେ କାକୁଡି ବଳି ଦିଆଯିବ ।
ମା’ ଦୁର୍ଗାଙ୍କ ପୂଜା ପାଇଁ ବଡ଼ ବଡ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର ଓ କଟକ । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ଚାରିଆଡ଼ । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି ।