କେରଳ ବିମାନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା

ନୁଆଦିଲ୍ଲୀ: କେରଳ କୋଝିକୋଡ୍ କିରିପୁର ବିମାନବନ୍ଦରରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପ୍ରତି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯିବ । ଏନେଇ ବେସାମରିକ ବିମାନ ମନ୍ତ୍ରାଳୟ ପକ୍ଷରୁ ବିଭାଗୀୟ ମନ୍ତ୍ରୀ ହରଦୀପ ସିଂହ ପୁରୀ ଘୋଷଣା କରିଛନ୍ତି ।
ତେବେ ଏହି ବିମାନ ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ସମେତ ମୋଟ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତଙ୍କ ପରିବାରଙ୍କ ପାଇଁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ । ଶନିବାର କେନ୍ଦ୍ର ବି.ମୁରଲୀଧର ଏବଂ ସାଂସଦ ପି.କେ.କୁହ୍ନାଲୀଙ୍କ ସହ ବିଭାଗୀୟ ମନ୍ତ୍ରୀ ପୁରୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ତା ପରେ ଏହି ଘୋଷଣା କରିଛନ୍ତି । ଏଥିସହିତ ଦୁର୍ଘଟଣାରେ ଗୁରୁତର ଆହାତ ଯାତ୍ରୀଙ୍କ ନିମନ୍ତେ ୨ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି । ସେହିପରି ଆହାତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।