କରୋନା ଚିକିତ୍ସିତଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଜାଣିବା ପାଇଁ ସୁବିଧା ଉପଲବ୍ଧ

(ରଜନୀ କାନ୍ତ ପାତ୍ର / ହିଞିଳି) ; ଗଞ୍ଜାମ ଜିଲ୍ଲାରେ ମହାମାରୀ କରୋନା ଏକ ଭୟ ଓ ଆତଙ୍କ ଜନିତ ପରିସ୍ଥିତି ସୃଷ୍ଟି କରିଛି । ଦ୍ଵିତୀୟ ଲହର ତୀବ୍ରତା ସାରା ରାଜ୍ୟରେ ରଚି ଚାଲିଛି ଏକ ବଡ ବିପର୍ୟ୍ୟୟ। ସରକାର ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଓ ପଦକ୍ଷେପ ଗ୍ରହଣ କରାଯାଇଛି। ମୁକାବିଲା ପାଇଁ ୧୪ ଦିନିଆ ଲକ ଡାଉନ ଜାରୀ ରହିଛି। ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରାଯାଇ ସଂକ୍ରମିତଙ୍କ ଲାଗି ପ୍ରସ୍ତୁତ ହୋଇଛି କୋଭିଡ କେୟାର ସେଣ୍ଟର ଓ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର।ରାଜ୍ୟ ସରକାର ,ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ସେବା, ଖାଦ୍ୟ, ପାନୀୟ, ଅମ୍ଳଜାନ ସିଲିଣ୍ଡର ଓ ଔଷଧ ସମୟାନୁଯାୟୀ ଉପଲବ୍ଧ କରା ଯାଉଛି।ସ୍ଥାନୀୟ ସହରରେ ସଂକ୍ରମଣ ଓ ସଂକ୍ରମିତଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରହିଛି ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଠାରେ ଚିକିତ୍ସାଧୀନ ସମସ୍ତ ଆକ୍ରାନ୍ତଙ୍କ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ତଥାପି ଆକ୍ରାନ୍ତଙ୍କ ମନୋବଳ ଓ ମାନସିକତା ବୃଦ୍ଧି ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଏକ ଅନ୍ୟନ୍ୟ ପଦକ୍ଷେପ।ସାଧାରଣତଃ ଆକ୍ରାନ୍ତଙ୍କ ପରିବାର ଓ ସମ୍ପର୍କୀୟ ନିଜ ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ବ୍ୟଗ୍ର ହୋଇଥାନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ ସେମାନଙ୍କ ପାଇଁ ସ୍ଥାନୀୟ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ମଙ୍ଗଳବାର ଆରମ୍ଭ ହୋଇଛି ଅନ ଲାଇନ ମାଧ୍ୟମରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଜାଣିବା ସୁବିଧା ଉପଲବ୍ଧ ସେବା। ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡା, ପୌର କାର୍ୟ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ବିଡିଓ ସୁବ୍ରତ କୁମାର ଜେନା ଓ ନୋଡାଲ ଚିକିତ୍ସାଧିକରୀ ଡାକ୍ତର ସ୍ୱୟଂଭୁ ପ୍ରସାଦ ରାୟ ପ୍ରମୁଖ ଉପସ୍ଥିତ ରହି ଏହି ସେବାର ଶୁଭାରମ୍ଭ କରିଥିଲେ।ପ୍ରତିଦିନ ସନ୍ଧ୍ୟା ୪ଘଣ୍ଟା ଠାରୁ ୫ ଟା ମଧ୍ୟରେ ଅନଲାଇନ ମାଧ୍ୟମରେ ନିଜ ସଦସ୍ୟ/ସମ୍ପର୍କୀୟ ସମ୍ବନ୍ଧରେ ସୁବିଧା ଅସୁବିଧା ଓ କଥାବାର୍ତ୍ତା ହୋଇ ପାରିବେ ବୋଲି ପ୍ରଶାସନିକ ଅଧିକାରୀବୃନ୍ଦ ସୂଚନା ଦେଇଥିଲେ ।