ପୁରୀ : ମାର୍କେଣ୍ଡେୟ ପୁଷ୍କରିଣୀରେ କାଳିୟଦଳନ ନୀତି ଓ ଧେନୁକାସୁର ବଧ ନୀତି ସମ୍ପନ୍ନ। ଭାଦ୍ରବ କୃଷ୍ଣ ଏକାଦଶୀ ଦିନ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବେଶରେ ମହାପ୍ରଭୁଙ୍କ ଠାରୁ ତିନି ଖଣ୍ଡ ଆଜ୍ଞାମାଳ ମଦନମୋହନ, ରାମ, କୃଷ୍ଣ ଚଳନ୍ତି ପାଇବା ପରେ ବଟବୃକ୍ଷ ସମୀପରେ ରଖାଯାଇଥିବା ପାଲିଙ୍କିକୁ ବିଜେ କରିଥିଲେ। ବିମାନବଡୁ ସେବକମାନେ ପାଲିଙ୍କିକୁ ସ୍କନ୍ଧରେ ବହନ କରି ବଡ଼ଦେଉଳକୁ ଏକଥର ପରିକ୍ରମା ବେଢ଼ାଏ ବୁଲି ଲୋକନାଥ ରୋଡସ୍ଥିତ ଲବଣିଖିଆ ମଣ୍ଡପଠାକୁ ବିଜେ କରନ୍ତି । ମହାଭୋଇ ଘର ବୋହୁମାନେ ବନ୍ଦାପନା ଓ ସର ଲବଣୀ ଭୋଗ କରନ୍ତି ଓ ତା’ ପରେ ମାର୍କଣ୍ଡ ପୁଷ୍କରିଣୀଠାକୁ ବିଜେ କରିଥିଲେ ।
ମାର୍କଣ୍ଡ ପୁଷ୍କରିଣୀସ୍ଥ ଦୀପଦାଣ୍ଡି ପାଖରେ ଏକ ମଞ୍ଚା ନିର୍ମିତ ହୋଇ ଏଠାରେ କନାରେ ନିର୍ମିତ ହୋଇଥିବା ଏକ ସର୍ପ ଆଘାତ କଲାପରେ ଜଣେ ଗରୁଡ଼ ବେଶରେ ଆସି ଅମୃତ ଲତୁ ଦେଇ ବିଷ ଝାଡ଼ିଥାନ୍ତି । ତତ୍ପରେ ଶୀତଳ ଭୋଗ ବନ୍ଦାପନା ହୋଇ ବାହୁଡ଼ା ବିଜେରେ ଶ୍ରୀମନ୍ଦିର ଜୟବିଜୟଠାକୁ ଆସିଥାନ୍ତି । ସେଠାରେ ଚଳନ୍ତି ପ୍ରତିମାମାନଙ୍କୁ ଏକାଦଶୀ ଭୋଗ ଓ ବନ୍ଦାପନା ପରେ ଦକ୍ଷିଣି ଘରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଏହିପରି ଭାବେ କାଳିୟଦଳନ ଲୀଳା ଅନୁଷ୍ଠିତ ହୋଇଥାଏ।
ଜାଣି ରଖନ୍ତୁ ଯେ, କାଳିୟଦଳନ ବେଶ୍ ପୁରାଣ ପ୍ରସିଦ୍ଧ ଯମୁନା ତଟବର୍ତ୍ତୀ କାଳନ୍ଦୀ ହ୍ରଦରେ ବାସ କରୁଥିବା କାଳିୟ ନାମକ ଏକ ଭୟଙ୍କର ସର୍ପକୁ ଶ୍ରୀକୃଷ୍ଣ ଦଳନ କରିଥିବା ଆଖ୍ୟାୟିକାର ସ୍ମୃତିରେ ପୁରୀ ଶ୍ରୀମନ୍ଦିରରେ ଏହି ବେଶ କରାଯାଉଥିବା ଜଣାଯାଏ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳିୟଦଳନ ବେଶରେ ବିମଣ୍ଡିତ କରାଯାଇ ସନ୍ଧ୍ୟାଧୂପ ପାଇଁ ପାଣି ପଡିଥାଏ । ଏହି ସମୟରେ ଜଗନ୍ନାଥବଲ୍ଲଭ ମଠରୁ ଆସିଥିବା ବୃହତ୍ ଦୁଇଟି ଅମୃତ ଲଡୁ ପୁଷ୍ପାଳକ ମହାପ୍ରଭୁଙ୍କ ବିଗ୍ରହମାନଙ୍କ ଶ୍ରୀହସ୍ତରେ ଲାଗି କରାଯାଏ । ଏହି ବେଶରେ ଉଭୟ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର କାଷ୍ଠ ନିର୍ମିତ ଶ୍ରୀଭୁଜ ଓ ଶ୍ରୀପୟରଯୁକ୍ତ ହୋଇଥାନ୍ତି । ଏକ ବୃହତ ଆକାରର ସପ୍ତଫେଣିଆ କାଳୀୟ ସର୍ପର ମସ୍ତକଟି ଶ୍ରୀଜଗନ୍ନାଥଙ୍କ ଶ୍ରୀପୟର ବା ପାଦତଳେ ଖଞ୍ଜାଯାଇଥାଏ । ଶ୍ରୀବଳଭଦ୍ର ଦଣ୍ଡାୟମାନ ଭଙ୍ଗାରେ ରହି ବାମ ହସ୍ତରେ ସୋଲ ନିର୍ମିତ ପଦ୍ମକଢି ଓ ଡାହାଣ ହସ୍ତରେ ଅମୃତ ଲଡ଼ୁ ଧାରଣ କରିଥାନ୍ତି । ଏହା ବ୍ୟତୀତ ସିଂହାସନ ଉପରେ ଗାଈ, ବାଛୁରୀ ଓ ବିଗ୍ରହଙ୍କ ମସ୍ତକରେ ଚୂଳ ଖଞ୍ଜାଯାଇ ସୁବର୍ଣ୍ଣ କିଆ ଓ ଅନ୍ୟ କେତେକ ରତ୍ନ ଅଳଙ୍କାରରେ ଭୂଷିତ କରାଯାଏ । କାଳିୟଦଳନ ବେଶ ସନ୍ଧ୍ୟାଧୂପ ଶେଷ ପର୍ଯ୍ୟନ୍ତ ରହିଥାଏ ।