(ରିପୋର୍ଟରସ୍ ଟୁଡେ / ଭୁବନେଶ୍ୱର ) : ୟେସ ବ୍ୟାଙ୍କ ଦେବାଲିଆ ହେବା ପରେ ଏବେ ଏହି ବ୍ୟାଙ୍କର ଜମାକାରୀଙ୍କ ମଧ୍ୟରେ ଭାଳେଣି ପଡିଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଏହି ବ୍ୟାଙ୍କରେ ଜମା ଥିବାରୁ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିରୋଧୀ ଦଳ ଏହାକୁ ନେଇ ସରକାରକୁ ଘେରୁଥିବା ବେଳେ ମନ୍ଦିର ଆକାଉଣ୍ଟାଣ୍ଟ ବିଜୟ ସାହୁ ଓ ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଅଧିକ ସମାଲୋଚିତ ହୋଇଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ଶ୍ରୀମନ୍ଦିର ଟଙ୍କା ୟେସ୍ ବ୍ୟାଙ୍କରେ ଜମା କରିବା ପରେ ମିଳିଥିବା କମିଶନ୍ ଅର୍ଥରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବିଜୟ ସାହୁ ଓ ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ୟୁରୋପ୍ ଗସ୍ତରେ ଯାଇଥିଲେ ବୋଲି କହିଛନ୍ତି । ମହାପ୍ରଭୁଙ୍କ ଅର୍ଥରେ ଦୁଇ ଅଧିକାରୀଙ୍କ ବିଦେଶ ଗସ୍ତ କରିବା ବିରୋଧୀ ଦଳ କହିବା ପରେ ଓଡିଆଙ୍କ ମଧ୍ୟରେ ରାଜ୍ୟ ମନ୍ତ୍ରୀ ଓ ବିଧାୟକଙ୍କ ଗସ୍ତକୁ ନେଇ ମଧ୍ୟ ସନ୍ଦେହ ଜାତ ହେଉଛି । କାରଣ ମନ୍ଦିର ପରିଚାଳନା କମିଟି ମହାପ୍ରଭୁଙ୍କ ଟଙ୍କାକୁ ୟେସ ବ୍ୟାଙ୍କରେ ରଖିବାକୁ ନେଇ ଆପତ୍ତି କରିଥିଲେ ମଧ୍ୟ ସରକାର ଟଙ୍କା ସେହି ବ୍ୟାଙ୍କରେ ରଖାଇଥିଲେ । ଅନ୍ୟ ପଟେ ଗତ ଡିସେମ୍ବର ମାସରେ ବ୍ୟାଙ୍କ ଦେବାଲିଆ ହେଉଥିବା ନେଇ ପ୍ରାରମ୍ଭିକ ସୂଚନା ପରେ ବ୍ୟାଙ୍କରୁ ଟଙ୍କା ଉଠାଇ କୌଣସି ଜାତୀୟ ବ୍ୟାଙ୍କରେ ଟଙ୍କା ରଖିବାକୁ ମନ୍ଦିର ପରିଚାଳନା କମିଟି ପ୍ରସ୍ତାବ ଦେଇଥିଲା । ବ୍ୟାଙ୍କର ସ୍ଥିତିକୁ ନେଇ ଗତବର୍ଷ ତିରୁପତି ଟ୍ରଷ୍ଟ ମଧ୍ୟ ୧୩ଶହ କୋଟି ଟଙ୍କା ବ୍ୟାଙ୍କରୁ ଉଠାଇନେଇଥିଲା । ଏସବୁ ସତ୍ତେ୍ୱ ବିଜୟଙ୍କ ନିରବତାକୁ ନେଇ ଏବେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଜୟ ନିଜ ସ୍ୱାର୍ଥ ସାଧନରେ ଅନ୍ଧ ହୋଇ ମହାପ୍ରଭୁଙ୍କ ଅର୍ଥ ଓ ଓଡିଆଙ୍କ ଭାବନା ସହ ଖେଳିବାକୁ ପଛାଇ ନ ଥିବା କୁହାଯାଉଛି । ଅପରପକ୍ଷରେ ଏହାକୁ ନେଇ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ସେ କେବେ ୟୁରୋପ ଗସ୍ତ କରି ନାହାନ୍ତି ।
ଏହାକୁ ନେଇ ରାଜ୍ୟବାସୀ ରାଜ୍ୟ ସରକାରକୁ ଦାୟୀ କରୁଥିବା ବେଳେ କିନ୍ତୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗତକାଲି ଗୃହରେ ସରକାର ମୁଣ୍ଡରୁ ସମସ୍ତ ଦୋଷ ଛଡାଇଦେଇ ମନ୍ଦିର ପରିଚାଳନା କମିଟି ମୁଣ୍ଡରେ ଅଠା ବୋଳି ଦେଇଛନ୍ତି । ଜଗନ୍ନାଥଙ୍କ ଟଙ୍କା ଜାତୀୟକରଣ ବ୍ୟାଙ୍କରୁ ଉଠାଯାଇ ଅଧିକ ସୁଧ ଲୋଭରେ ଘରୋଇ ବ୍ୟାଙ୍କରେ ଜମା ରଖାଯାଇଥିଲା । ଜଗନ୍ନାଥଙ୍କ ଟଙ୍କା ଜମା ରଖିବାକୁ ୧୨ଟି ଘରୋଇ ବ୍ୟାଙ୍କ ଆବେଦନ କରିଥିବା ବେଳେ କିନ୍ତୁ ୟେସ ବ୍ୟାଙ୍କ ଅଧିକ ସୁଧ ଦେଉଥିବାରୁ ଏହି ବ୍ୟାଙ୍କରେ ଟଙ୍କା ଜମା ରଖାଗଲା ମାର୍ଚ୍ଚ ୨୦୧୯ରେ ଓ ଏହି ପ୍ରକ୍ରିୟାରେ ସରକାରର କୌଣସି ଭୂମିକା ନାହିଁ ।