ପିଜି ଡାକ୍ତରଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଇବା ନିଷ୍ପତ୍ତିକୁ ଜୁନିଅର ଡାକ୍ତର ସଂଘର ବିରୋଧ

ବ୍ରହ୍ମପୁର: ରାଜ୍ୟରେ କୋଭିଡ ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି । କୋଭିଡ ମୁକାବିଲା ପାଇଁ ଭିନ୍ନ ମେଡିକାଲ କଲେଜର ପିଜି ଡାକ୍ତରଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। କିନ୍ତୁ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜର ଜୁନିଅର ଡାକ୍ତର ସଂଘ।
ଦକ୍ଷିଣ ଓଡିଶାର ଏମ୍‌କେସିଜି ମେଡିକାଲ ଏକ ରେଫେରାଲ ହସ୍ପିଟାଲ । ଏଠାକୁ ପ୍ରତିଦିନ ଶହ ଶହ ରୋଗୀ ଆସୁଛନ୍ତି। ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଅନୁଯାୟୀ କାର୍ୟ୍ୟରତ ପିଜି ଡାକ୍ତରମାନେ ଗଞ୍ଜାମ କୋଭିଡ୍‌ ହସ୍ପିଟାଲ ଓ ଏମ୍‌କେସିଜି ଆଇସୋଲେସନ ଓ୍ବାର୍ଡରେ କାର୍ୟ୍ୟରତ। ତେଣୁ ଏଠାରୁ ସମସ୍ତ ପିଜି ଡାକ୍ତରଙ୍କୁ ନେଇଗଲେ ରୋଗୀସେବା ଠପ୍ ହୋଇଯିବ ବୋଲି ସଂଘ ପକ୍ଷରୁ ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀ କୁହାଯାଇଛି। ଏ ନେଇ ସଂଘ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏମ୍‌କେସିଜିରୁ ୨୦ରୁ୨୫ ପ୍ରତିଶତ ହିଁ ପିଜି ଡାକ୍ତରଙ୍କୁ ନେଇ ସେମାନଙ୍କୁ ଗଞ୍ଜାମ ନିକଟବର୍ତ୍ତୀ ଜିଲ୍ଳାରେ କାର୍ୟ୍ୟ କରିବାକୁ ସୁଯୋଗ ଦେବାକୁ ସଂଘ ଅନୁରୋଧ କରିଛି। ଏହି ସମ୍ମିଳନୀରେ ସଂଘ ସଭାପତି ଡାକ୍ତର ସ୍ମୃତି ରଞ୍ଜନ ପଟ୍ଟନାୟକ, ସାଧାରଣ ସମ୍ପାଦକ ଡାକ୍ତର ଅନୁପମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।