ସାମ୍ବାଦିକଙ୍କୁ ଆକ୍ରମଣ

(ରିପୋର୍ଟସ ଟୁଡେ)ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଅପରାଧୀଙ୍କ ଦ୍ରୌରାତ୍ମ୍ୟ ବଢିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଅନେକ ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ପୁଣି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ । ଜଣେ କର୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ସେ ଏକ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥାରେ କାମ କରୁଥିବା ଜଣାପଡିଛି ।

ପ୍ରଫୁଲ୍ଲ ମାଝୀ ନାମକ ଜଣେ ସାମ୍ବାଦିକ ଲଗାତାର ଭାବେ କୁଲଡିହା ଅଭୟାରଣ୍ୟରେ ଚାଲିଥିବା ବେଆଇନ କାଠ କାରବାର ବାବଦରେ ଖବର ପରିବେଷଣ କରିଥିଲେ । ଏହାକୁ ଆଧାର କରି ବନ ବିଭାଗ କେତେକ ଚୋରାକାଠ ଜବତ କରିବା ସହ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲା । ଫଳରେ କାଠମାଫିଆଙ୍କ ରୋଷର ସେ ଶିକାର ହୋଇଥିଲେ । ଏଥିପାଇଁ କାଠମାଫିଆମାନେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଆକ୍ରମଣର ଶିକାର ହୋଇଥିବା ପ୍ରଫୁଲ୍ଲଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଥିଲା। ପରେ ତାଙ୍କୁ ନୀଳଗିରି ମେଡିକାଲରେ ଭର୍ତି କରାଯାଇଛି । ଅଭିଯୁକ୍ତଙ୍କୁ ଗିରଫ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।