୧୯୯୯ ମସିହା ବିଧ୍ୱଂସକାରୀ ମହାବାତ୍ୟାକୁ ୨୬ ବର୍ଷ ପୂରଣ ହୋଇଛି

୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଆଜିର ଦିନରେ ଓଡିଶାରେ ଧ୍ୱଂସଲିଳା ରଚିଥିଲା ମହାପ୍ରଳୟ । ଘଣ୍ଟା ପ୍ରତି ୩୦୦ କିମି ବେଗ ପବନ ମାଡରେ ରାଜ୍ୟର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ଉପକୂଳବର୍ତ୍ତୀ ଜିଲ୍ଲାବାସୀ ଦେଖିଥିଲେ ପ୍ରକୃତିର ଭୟଙ୍କର କରାଳ ରୂପ । ମହାବାତ୍ୟାରେ କିଏ ପରିଜନଙ୍କୁ ହରାଇଥିଲା ତ, କିଏ ପୂରା ପରିବାରକୁ ହରାଇଥିଲା । ଇତି ମଧ୍ୟରେ ବିଧ୍ୱଂସକାରୀ ମହାବାତ୍ୟାକୁ ୨୬ ବର୍ଷ ବିତିଗଲାଣି । ତଥାପି ଅକ୍ଟୋବର ୨୯ ତାରିଖ ଆସିଲେ ମହାବିପତ୍ତି କ୍ଷତିଗ୍ରସ୍ତଙ୍କ ଆଖି ସାମ୍ନାରେ ନାଚି ଉଠେ ପ୍ରଳୟର କରାଳ ରୂପ । ତାଜା ହୋଇଉଠେ, ଦୁର୍ଦ୍ଦଶା ଓ ଯନ୍ତ୍ରଣାର ଅଭିଶପ୍ତ କାଳଖଣ୍ଡ । ଶହଶହ ଜୀବନ ନେବା ସହିତ ରାଜ୍ୟର ଚିତ୍ର ବଦଳାଇଦେଇଥିଲା ଏହି ମହାବାତ୍ୟା । ଦୁଇ ଦିନର ଅବିଶ୍ରାନ୍ତ ବର୍ଷା ସହ ପବନର ଘୁଘୁ ଗର୍ଜନ ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶାର ଚିତ୍ର ବିଗାଡ଼ି ଦେଇଥିଲା । ତେବେ ମହାବାତ୍ୟାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଜଗତସିଂହପୁର ଜିଲ୍ଲା ।

 ଅଣଚାଷ ପବନ ଓ ସମୁଦ୍ରର ଉଚ୍ଚ ଜୁଆରରେ ପାରାଦ୍ବୀପ ସମେତ, କୁଜଙ୍ଗ, ଏରସମା ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ପାର୍ଶ୍ବବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡା, ଭଦ୍ରକ, ପୁରୀ ଓ ଖୋର୍ଦ୍ଧା ମଧ୍ୟ ପ୍ରଭାବିତ ହୋଇଥିବା ବେଳେ ଢେଙ୍କାନାଳ, ନୟାଗଡ ପରି ଆଭ୍ୟନ୍ତରୀଣ ଜିଲ୍ଲା ମଧ୍ୟ ଆଶିଂକ ପ୍ରଭାବିତ ହୋଇଥିଲା । ମହାବାତ୍ୟା ମହାତାଣ୍ଡବରେ ଉପକୂଳ ଓଡିଶା ସମେତ ରାଜ୍ୟର ମୋଟ ୧୨୮ଟି ବ୍ଲକରେ ବ୍ୟାପକ କ୍ଷତି ଘଟାଇଥିଲା । ମୋଟ ୧.୮୯ କୋଟି ଲୋକ ପ୍ରଭାବିତ ହୋଇଥିଲେ । ସରକାରୀ ହିସାବ ଅନୁଯାୟୀ ମହାବାତ୍ୟାରେ ୧୦ ହଜାର ଲୋକ ପ୍ରାଣ ହରାଇଥିବା କୁହାଯାଉଥିବା ବେଳେ କିନ୍ତୁ ମୃତ୍ୟୁ ସଂଖ୍ୟା ବହୁ ଅଧିକ ବୋଲି କୁହାଯାଉଛି । ସେଦିନର ସେହି କଳା ଦିନକୁ ଆଜି ୨୬ ବର୍ଷ ପୂରଣ ହୋଇଛି । ସେ ଦିନର କାଳରାତ୍ରିକୁ ମନ ପକାଇ ଆଜିବି ଗୁମୁରି କାନ୍ଦୁଛନ୍ତି କ୍ଷତିଗ୍ରସ୍ତ ।

24 years on, 1999 Super Cyclone in Odisha still continue to haunt