ମୁଗ ଓ ବିରି ବିହନ ବଣ୍ଟନରେ ଅନିୟମିତତା, ଜିଲ୍ଲା କୃଷି ଅଧିକାରୀଙ୍କ ତଦନ୍ତ ନିର୍ଦ୍ଦେଶ

 ବସ୍ତା/ଅଜିତ ସାହୁ : ବସ୍ତା ବ୍ଲକ୍ ଅନ୍ତର୍ଗତ ନଟାକଟା ଓ ଭେଲୋରା ପଞ୍ଚାୟତରେ ମୁଗ ଓ ବିରି ବିହନ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଗ୍ରାମବାସୀ ପୂର୍ବରୁ ଜିଲ୍ଲା କୃଷି ଅଧିକାରୀଙ୍କୁ ଭେଟି ଘଟଣାର ତଦନ୍ତ କରାଯିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଯାହାଦ୍ଵାରା ବିଳମ୍ବରେ ହେଲେ ବି  ଜିଲା କୃଷି ବିଭାଗ  ତତ୍ପରତା ଦେଖାଦେଇଛି।

  ସୂଚନା ଅନୁସାରେ ୨୦୨୧-୨୪ ରେ ବସ୍ତା ବ୍ଲକର ବିଭିନ୍ନ ପଞ୍ଚାୟତରେ କେଉଁ ହିତାଧିକାରୀଙ୍କୁ କେତେ ପରିମାଣର ମୁଗ ଓ ବିରି ବିହନ ବଣ୍ଟନ ହୋଇଛି ତାହା ଜାଣିବା ଲାଗି ନଟାକଟା ପଞ୍ଚାୟତ ଅନ୍ତର୍ଗତ ଚାଷୀପଡ଼ା ଗ୍ରାମର ସୂଚନା ଅଧିକାର କର୍ମୀ ଯୋଗେନ୍ଦ୍ର କୁମାର ଦତ୍ତ ଏବଂ ବସନ୍ତ କୁମାର ଭଦ୍ର ସୂଚନା ଅଧିକାର ଆଇନ ବଳରେ ଜିଲା କୃଷି ଅଧିକାରୀଙ୍କୁ ତଥ୍ୟ ମାଗିଥିଲେ।ଏହି ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଷୀ ମାନେ ବିହନ ନେଇ ଚାଷ କରିଥିବା ବେଳେ ଅଣଚାଷୀ ମାନେ ବ୍ୟାପକ ମାତ୍ରାରେ ସରକାରୀ ବିହନ  ହାତେଇ ଥିବା ଜାଣିବାକୁ ମିଳିଥିଲା।ଫଳସ୍ବରୂପ ହସ୍ତଗତ ହୋଇଥିବା ତଥ୍ୟ ଆଧାରରେ ଦୁହେଁ ପ୍ରଥମେ ନିଜ ପଞ୍ଚାୟତରେ ଖୋଲତାଡ଼ କରିଥିଲେ।ପ୍ରକୃତରେ ଅଧିକାଂଶ ଚାଷୀଙ୍କୁ ୨ରୁ ୪କି.ଗ୍ରା. ମୁଗ ବିହନ ଦିଆ ଯାଇଥିବା ବେଳେ ତାଙ୍କ ନାମରେ ୮ରୁ ୨୦କି.ଗ୍ରା. ନିଆଯାଇଥିବା ବଣ୍ଟନ ରେକର୍ଡ ରେ  ଦର୍ଶାଯିବା ସହିତ ।ବହୁ ଚାଷୀଙ୍କର ଜାଲ ଦସ୍ତଖତ ମାରି ମଧ୍ୟ  ମୁଗ ବିହନ ଚଳୁ କରାଯାଇଥିବା ତଥ୍ୟରୁ ଜଣାପଡିଥିଲା।ଏ ସବୁର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଭାରତୀୟ କିଷାନ ସଂଗଠନର ବସ୍ତା ବ୍ଲକ୍ ସଭାପତି ଜୟନ୍ତ ଭଦ୍ର ଜିଲ୍ଲା କୃଷି ଅଧିକାରୀ ତୁଷାରକାନ୍ତି ଟୁଙ୍ଗ, ବ୍ଲକ କୃଷି ଅଧିକାରିଣୀ ଶ୍ରଦ୍ଧା ହୋତା ଓ ବସ୍ତା ବିଡ଼ିଓ ମୋହିନୀ କୁମାର ନାଏକଙ୍କୁ  ଅଭିଯୋଗ କରିବା ସହିତ  ଜିଲା ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ତେବେ ଏନେଇ ଜିଲା କୃଷି କ୍ଷେତ୍ର କାର୍ଯ୍ୟାଳୟ ପତ୍ର ସଂଖ୍ୟା ୬୧୪/୨୪ ମୂଳେ ବ୍ଲକ କୃଷି ଅଧିକାରିଣୀ ଶ୍ରଦ୍ଧା ହୋତାଙ୍କୁ ତଦନ୍ତ  ଲାଗି ନିର୍ଦ୍ଦେଶ ହୋଇଛି।ଆସନ୍ତା ବୁଧବାର ପୂର୍ବାହ୍ଣ ୧୧ଟା ସମୟରେ ଭେଲୋରା ଏବଂ ଅପରାହ୍ଣ ୩ଟା ସମୟରେ ନଟାକଟା ଗ୍ରାମ ପଞ୍ଚାୟତରେ ତଦନ୍ତ କରାଯିବା ନେଇ ଚିଠିରେ ଉଲ୍ଲେଖ ଥିବା ବେଳେ ଏହି ସମୟରେ ସଂପୃକ୍ତ ଭିଏଡ଼ବ୍ଲ୍ୟୁ, କୃଷକ ସାଥୀ, ଏନଜିଓ ସଂସ୍ଥା ଅଧିକାରୀ ଙ୍କୁ   ଉପସ୍ଥିତ ରହିବାକୁ ନିର୍ଦ୍ଦେଶ  ଦିଆଯାଇଛି। ତେବେ ତଦନ୍ତ ପରେ ଅସାଧୁ ଅଧିକାରୀ ଙ୍କ ବିରୁଦ୍ଧରେ କୃଷି ବିଭାଗ କେବେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା।