ତୀବ୍ରତର ହେଉଥିବା ଇରାନ୍-ଆମେରିକା ଯୁଦ୍ଧ କାରଣରୁ ଆଗାମୀ ଆଇପିଏଲ୍ ପ୍ରଭାବିତ ହେବାର ଆଶଙ୍କା ଜାତ ହୋଇଛି। ବିଶେଷ କରି ବିଦେଶୀ ଖେଳାଳିଙ୍କ ଆଗମନ, ଯାତାୟତ ସହିତ ଅନ୍ୟାନ୍ୟ ଲଜିଷ୍ଟିକ୍ସ ଆହ୍ବାନ ଆଇପିଏଲ୍ ଆୟୋଜନ କ୍ଷେତ୍ରରେ ପ୍ରତିବଂଧକ ସାଜିବ ବୋଲି ଚିନ୍ତା ପ୍ରକଟ କରାଯାଇଛି। ଦୁବାଇ ଓ ଦୋହା ଭଳି ପ୍ରମୁଖ ଯାତାୟତ କେନ୍ଦ୍ରର ବିମାନଘାଟିଗୁଡ଼ିକ ବନ୍ଦ ଥିବାରୁ ଅନ୍ତର୍ଜାତୀୟ ଖେଳାଳିଙ୍କ ପାଇଁ ଏହା ବଡ଼ ସମସ୍ୟା ସୃଷ୍ଟି କରିବ। ପଶ୍ଚିମ ଏସିଆରେ ଦେଖା ଦେଇଥିବା ଏହି ଯୁଦ୍ଧ ପରିସ୍ଥିତି ଉପରେ ବିସିିସିଆଇ ଓ ଆଇପିଏଲ୍ ପରିଚାଳନା ପରିଷଦ ବି ନଜର ରଖିଛନ୍ତି।
ରନ୍ଧନଗ୍ୟାସ ସଙ୍କଟ କାରଣରୁ ହୋଟେଲ୍ ରହଣୀ ମଧ୍ୟ ଅନ୍ୟତମ ଲଜିଷ୍ଟିକ୍ସ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରଖୁଛି।ଏସବୁ ସମସ୍ୟା ବିଶ୍ବ କ୍ରିକେଟ୍ ଉପରେ ବଡ଼ ପ୍ରଭାବ ମଧ୍ୟ ପକାଇବ ବୋଲି ଆକଳନ କରାଯାଉଛି। ଯୁଦ୍ଧ ପରିସ୍ଥିତି କାରଣରୁ ମାର୍ଚ୍ଚରେ ୟୁଏଇରେ ଖେଳାଯିବାକୁ ଥିବା ଆଫଗାନିସ୍ତାନ-ଶ୍ରୀଲଙ୍କା ସୀମିତ ଓଭର ଶୃଙ୍ଖଳାକୁ ସ୍ଥଗିତ ରଖାଯାଇଛି। ଯାହାକି ଯୁଦ୍ଧର ପ୍ରଥମ ଶିକାର ହୋଇଛି। ବିଶ୍ବକପ୍ ପରେ ୱେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ମଧ୍ୟ ସ୍ବଦେଶ ଫେରିବା ନେଇ ବିମାନ ଉପଲବ୍ଧ ନହେବାରୁ ବିଳମ୍ବରେ ବାହୁଡ଼ିଛନ୍ତି। ସମାନ ସମସ୍ୟା ଏବେ ଆଇପିଏଲ୍ ଖେଳାଳିଙ୍କ ପାଇଁ ଅନ୍ତରାୟ ସାଜିପାରେ। ଅନ୍ତର୍ଜାତୀୟ ଖେଳାଳିଙ୍କ ବିଳମ୍ବିତ ଆଗମନ ମଧ୍ୟ ବିଭିନ୍ନ ଆଇପିଏଲ୍ ଦଳର ପ୍ରସ୍ତୁତିକୁ ପ୍ରଭାବିତ କରିବାକୁ ଯାଉଛି।
ଅନ୍ୟପକ୍ଷରେ ଭାରତର କିଛି ରାଜ୍ୟରେ ନିର୍ବାଚନ ଘୋଷଣାକୁ ନଜରରେ ରଖି ଆଇପିଏଲ୍ ଏହାର ପ୍ରାରମ୍ଭିକ ଖେଳସୂଚୀ ଘୋଷଣା କରିଛି। ମାର୍ଚ୍ଚ ୨୮ ତାରିଖରୁ ଏହା ଆରମ୍ଭ ହେବାର ଖେଳସୂଚୀ ରହିଛି। ପ୍ରଥମ ୨୦ ମ୍ୟାଚ୍ ପାଇଁ ସୂଚୀ ପ୍ରକାଶ ପାଇଛି। ନିର୍ବାଚନ ତାରିଖ ଘୋଷଣା ପରେ ଅବଶିଷ୍ଟ ଖେଳସୂଚୀ ପ୍ରକାଶ କରାଯିବ ବୋଲି ବିସିସିଆଇ ଉପ ସଭାପତି ରାଜୀବ ଶୁକ୍ଳା ପ୍ରକାଶ କରିଛନ୍ତି।