(କଣିହାଁ/ଜ୍ୟୋତିରଞ୍ଜନ ଧର): ତାଳଚେର ଅଞ୍ଚଳର ଜଣେ ଯୁବତୀ ନିଜକୁ ଏକ ଇନସ୍ୟୁରାନ୍ସ କମ୍ପାନୀର ଏଜେଣ୍ଟ ବୋଲି ପରିଚୟ ଦେଇ ଜଣେ ଡାକ୍ତରଙ୍କ ବ୍ୟାଙ୍କ ଏକାଉଣ୍ଟରୁ ୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହଡପ କରିଛନ୍ତି । ଶେଷରେ ତାଳଚେର ଟାଉନ୍ ଥାନା ପୋଲିସ୍ ଯୁବତୀଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି । ଗିରଫ ଯୁବତୀଙ୍କ ଏଭଳି କାରନାମା ଏବେ ତାଳଚେର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ଅବସରପ୍ରାପ୍ତ ଡାକ୍ତର ବିଜୟ କୁମାର ପ୍ରଧାନ ତାଳଚେର ଟାଉନ୍ ଥାନା ଅନ୍ତର୍ଗତ ବାଘୁଆବୋଲ ଶିବ ମନ୍ଦିର ନିକଟରେ ନିଜ ଭାଇ ଘରେ ରହୁଥିଲେ । ଏହି ସମୟରେ ଏକ ଇନସ୍ୟୁରାନ୍ସ କମ୍ପାନୀରେ ଚାକିରୀ କରୁଥିବା ମଝିକା ଗାଁର ଯୁବତୀ ଦିପା ଘରୋଇ ସମ୍ପର୍କ ରକ୍ଷା କରି ଉକ୍ତ ଡାକ୍ତରଙ୍କ ବିଶ୍ୱାସ ଭାଜନ ହୋଇଥିଲେ । ଏହି ବିଶ୍ୱସର ସୁଯୋଗ ନେଇ ଯୁବତୀ ଜଣକ ଡାକ୍ତର ପ୍ରଧାନଙ୍କ ଅଜାଣତରେ ତାଙ୍କର ତାଳଚେର ଷ୍ଟେଟ୍ ବ୍ୟାଙ୍କ ଏକାଉଂଟ୍ରୁ ପୃଥକ ଭାବେ ୪ ଲକ୍ଷରୁ ଅଧିକ ଟଙ୍କା ଚତୁରତାର ସହ ଉଠାଇ ନେଇଥିଲେ । ଏହି ଘଟଣା ଜଣା ପଡିବା ପରେ ଡାକ୍ତର ଜଣକ ତାଳଚେର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ସଂପୃକ୍ତ ଯୁବତୀଙ୍କୁ ଗତକାଲି ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିବା ଥାନା ସୂତ୍ରରୁ ପ୍ରକାଶ ।