ଶ୍ରୀହରିକୋଟା: ନୂଆ ବର୍ଷ ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା( ଇସ୍ରୋ)ର ବଡ ସଫଳତା । ଆଜି ସକାଳ ୯ଟା ୧୦ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରର ୧ନମ୍ବର ଲଞ୍ଚ ପ୍ୟାଡ୍ରୁ ସଫଳତାର ସହିତ ଉତ୍କ୍ଷେପଣ ହୋଇଛି ଭାରତର ପ୍ରଥମ ପୋଲାରିମେଟ୍ରି ମିଶନ୍ ‘ଏକ୍ସପୋସାଟ୍’ ବା ଏକ୍ସ-ରେ ପୋଲାରିମିଟର ସାଟେଲାଇଟ୍। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) କହିଛି ଏହି ପରୀକ୍ଷଣ ପରେ ଏକ୍ସପୋସାଟ୍ ଜରିଆରେ ବ୍ଲାକ ହୋଲ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ । ଯଦି ଭାରତର ଏହି ମିଶନ ସଫଳ ହୁଏ, ତାହେଲେ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ନକ୍ଷତ୍ରଙ୍କ ସମ୍ପର୍କରେ ଅତ୍ୟାଧୁନିକ ପର୍ୟ୍ୟବେକ୍ଷଣ ସ୍ଥାପନର କରିବାରେ ସଫଳ ହେବ । ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଉଜ୍ଜ୍ବଳ ମହାଜାଗତିକ ଏକ୍ସ-ରେ ଉତ୍ସର ବିଭିନ୍ନ ପ୍ରକ୍ରିୟା ଅଧ୍ୟୟନ କରିବା ହେଉଛି ଏହାର ଉଦ୍ଦେଶ୍ୟ। ଏଥିରେ ‘ନ୍ୟୁଟ୍ରନ୍ ଷ୍ଟାର୍’, ‘ବ୍ଲାକ୍ ହୋଲ୍’ ସମେତ ଅନ୍ୟାନ୍ୟ ଉଚ୍ଚ ଶକ୍ତିସମ୍ପନ୍ନ ପ୍ରକ୍ରିୟା ଅନୁଧ୍ୟାନ ଅନ୍ତର୍ଭୁକ୍ତ। ଏହାଦ୍ବାରା, ଏସବୁ ବିଷୟରେ ଆଗରୁ ଥିବା ପାରମ୍ପରିକ ଧାରଣାକୁ ବାଦ ଦେଇ ବୈଜ୍ଞାନିକମାନେ ଅତିରିକ୍ତ ଜ୍ଞାନ ହାସଲ କରିବେ।ସୂଚନାଥାଉ କି, ଏହା ପୂର୍ବରୁ ଆମେରିକା ସ୍ପେସ ଏଜେନ୍ସି ନାନା ୨୦୨୧ରେ ଇମେଜିଂ ଏକ୍ସ-ରେ ପୋଲେରୀମିଟରୀ ଏକ୍ସପ୍ଲୋରର ନାମରେ ଏକ ମିଶନ ଲଞ୍ଚ କରିଥିଲା । ଏହା ଜରିଆରେ ବ୍ଲାକ ହୋଲ ସମେତ ଅନ୍ତରୀକ୍ଷରେ ଥିବା ଅନ୍ୟ ମହାଜାଗତିକ ବସ୍ତୁ ଉପରେ ଅନୁଶୀଳନ କରାଯାଉଛି ।