ଭାରତୀୟ ଯବାନଙ୍କ ସ୍ତ୍ରୀ ପାକିସ୍ତାନୀ ବୋଲି ଗଲା ଚାକିରି

ଭାରତୀୟ ଯବାନ ସ୍ୱାମୀ ହେଲେ ତାଙ୍କ ସ୍ତ୍ରୀ ପାକିସ୍ତାନୀ । ଯେଉଁ ଦେଶ ଆମ ଦେଶରେ ଆତଙ୍କବାଦ ଖେଳାଉଛି, ନୀରିହ ଲୋକଙ୍କ ଜୀବନ ନେଇଛି । ସେହି ଦେଶର ଝିଅକୁ ବିବାହ କରିବା ସିଆରପିଏଫ ଯବାନଙ୍କ ପାଇଁ ମହଙ୍ଗା ପଡିଛି । ପାକିସ୍ତାନ ଉପରେ ଜଳ ପ୍ରହାର ଆଉ ବାୟୁ ପ୍ରହାର ଭଳି ସିଆରପିଏଫଙ୍କୁ ଛଟେଇ ପ୍ରହାର ପଡିଛି । ବିନା ସୂଚନାରେ ପାକିସ୍ତାନୀ ସ୍ତ୍ରୀ ରଖିବା ଅଭିଯୋଗରେ ଚାକିରି ହରାଇଛନ୍ତି । ଜାମ୍ମୁକାଶ୍ମୀର ସିଆରପିଏଫ୍ ୪୧ ବାଟାଲିୟନର କନେଷ୍ଟବଳ ମୁନିର ଅହମ୍ମଦ ।


ପହଲଗାମରେ ଆକ୍ରମଣ ପରେ, ପାକିସ୍ତାନୀଙ୍କୁ ଭାରତ ଛାଡ଼ିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏତିକି ବେଳେ ଜଣେ ଭାରତୀୟ ଯବାନଙ୍କ କଥା ସାମ୍ନାକୁ ଆସିଛି । ସିଆରପିଏଫରେ କାମ କରୁଥିବା ଏହି ଯବାନ ଜଣକ, ଜଣେ ପାକିସ୍ତାନୀ ଝିଅକୁ ଭିଡିଓ କନଫରେନ୍ସରେ ବାହା ହେଇଥିଲେ । ଆଉ ବିନା ଭିସାରେ ସେ ଭାରତରେ ରହୁଥିବା ନେଇ ଅଭିଯୋଗ ରହିଥିଲା । ଯେଉଁ କଥା ସାମ୍ନାକୁ ଆସିବା ପରେ ଏବେ ଚାକିରିରୁ ଯବାନ ଜଣକ ବାହାରିଛନ୍ତି ।


ସିଆରପିଏଫରେ ଚାକିରି କରୁଥିବା ମୁନିରଙ୍କ କହିବା ଅନୁଯାୟୀ, ସେ ତାଙ୍କ ବାହାଘର ଖବର ତାଙ୍କ ଡିପାର୍ଟମେଣ୍ଟକୁ ଦେଇଥିଲେ । ଏନେଇ ସମସ୍ତ ଜରୁରୀ ଡକ୍ୟୁମେଣ୍ଟ ମଧ୍ୟ ଦାଖଲ କରିଥିଲେ । ତଥାପି ତାଙ୍କ ସ୍ତ୍ରୀ ପାକିସ୍ତାନୀ ହେବା କାରଣରୁ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି । ତେବେ ଚାକିରିରୁ ବାହାରିବା ପରେ ମୁନିର ଅହମ୍ମଦ ଏବେ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି ଜଣାପଡିଛି । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ସେ ନେହୁରା ହେବା ସହ ତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ।
ମୁନିର ଅହମ୍ମଦଙ୍କ କହିବା ମୁତାବକ, ଡିପାର୍ଟମେଣ୍ଟର ଅନୁମତି ସହକାରେ ୨୦୨୨ ମସିହାରେ ସେ ବିବାହ କରିଥିଲେ । ମେ ମାସ ୨୪ ତାରିଖରେ ଭିଡିଓ କନଫରେନ୍ସରେ ତାଙ୍କର ବାହାଘର ହେଇଥିଲା । କିନ୍ତୁ ଏବେ ବିନା କୌଣସି ସୂଚନାରେ ପାକିସ୍ତାନୀ ଝିଅଙ୍କୁ ବାହା ହେଇଛନ୍ତି ବୋଲି କହି ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।