ଦେଶରେ ୨୪ ଘଣ୍ଟାରେ ୧୮ ହଜାର ୭୩୨ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ

(ନୁଆଦିଲ୍ଲୀ): ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୮ ହଜାର ୭୩୨ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭାରତରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୮୭ ହଜାର ୮୫୦ରେ ପହଞ୍ଚିଛି । ସେହିପରି ଦିନକରେ ୨୭୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଭାରତରେ ଏବେ ସମୁଦାୟ କରୋନା ମୃତ୍ୟୂ ସଂଖ୍ୟା ୧ ଲକ୍ଷ ୪୭ ହଜାର ୬୨୨ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ୨୧ ହଜାର ୪୩୦ ଜଣ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୯୭ ଲକ୍ଷ ୬୧ ହଜାର ୫୩୮ରେ ପହଞ୍ଚିଛୀ । ପ୍ରାୟ ଏକ ମାସ ହେବ ନୂତନ ସଂକ୍ରମଣ ଠାରୁ ସୁସ୍ଥତା ସଂଖ୍ୟା ଅଧିକ ରହୁଥିବା ଦେଖିବାକୁ ମିଳୁଛି । ଏବେ ଦେଶରେ ୨ ଲକ୍ଷ ୭୮ ହଜାର ୬୯୦ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।