ଦୀପାବଳିରେ ଚୀନକୁ ପାନେ ଦେବାକୁ ଚାଲିଛି ଯୋଜନା

ନୂଆଦିଲ୍ଲୀ: ଭାରତ ଚୀନ ବିବାଦ ମଧ୍ୟରେ ଭାରତ ଚୀନ ଉପରେ ବିଭିନ୍ନ କ୍ଷେତ୍ରରେ ଲଗାଇଛି ଅଙ୍କୁଶ । ଆଗକୁ ଦୀପାବଳି । ଦୀପାବଳିରେ ଚାଇନା ସମାଗ୍ରୀର ବହୁଳ ବ୍ୟବସାୟ ଭାରତରେ ହୋଇଥାଏ । କିନ୍ତୁ ଚଳିତ ଦୀପାବଳିରେ ଚୀନ୍ କୁ ଶିକ୍ଷା ଦେବାକୁ ଭାରତ ଚଳାଇଛି ଯୋଜନା । ଜାତୀୟ କାମଧେନୁ କମିଶନ ଗାଈ ଗୋବରରୁ ୩୩ କୋଟି ଦୀପ ତିଆରି କରି ବଜାରରେ ବିକିବାର ଯୋଜନା ରଖିଛି । । ସୋମବାର ଆୟୋଗର ଅଧ୍ୟକ୍ଷ ବଲ୍ଲଭ ଭାଇ କାଥିରିଆ ଏହି ସୂଚନା ଦେଇଛନ୍ତି।
କାଥିରିଆ କହିଛନ୍ତି, ଚୀନ ସାମଗ୍ରୀ ବର୍ଜନ ସହ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ଆମର ଲକ୍ଷ୍ୟ। ଏହି ଅଭିଯାନରେ ଯୋଗଦେବା ପାଇଁ ୧୫ ରୁ ଅଧିକ ରାଜ୍ୟ ସହମତି ପ୍ରକାଶ କରିଛନ୍ତି । ପବିତ୍ର ଅଯୋଧ୍ୟାରେ ପ୍ରାୟ ତିନି ଲକ୍ଷ ଦୀପ ଜଳିବ ଏବଂ ବାରାଣାସୀରେ ଏକ ଲକ୍ଷ । ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକର ସହାୟତାରେ ଏହାକୁ ତିଆରି କରିବାର କାର୍ୟ୍ୟ ଆରମ୍ଭ ହୋଇଛି। ଦୀପାବଳୀ ରେ ପ୍ରାୟ ୩୩ କୋଟି ଦୀପ ତିଆରି କରିବାର ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନ ଦ୍ଵାରା ଗୋଶାଳାଗୁଡିକୁ ଆର୍ଥିକ ସହାୟତା ମିଳିବ।
ଭାରତୀୟ ଗୋରୁ ସଂରକ୍ଷଣ ପାଇଁ ୨୦୧୯ରେ ଗଠିତ ଆୟୋଗ ଆଗାମୀ ପର୍ବରେ ଗୋବର ଭିତ୍ତିକ ଉତ୍ପାଦର ବ୍ୟବହାରକୁ ଉତ୍ସାହିତ କରିବା ପାଇଁ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିଛି। ଏହି କାର୍ୟ୍ୟରେ ସ୍ୱେଚ୍ଛାସେବୀ ସଂଗଠନ ଏବଂ ଗୋଶାଳାମାନଙ୍କଠାରୁ ମଧ୍ୟ ସହାୟତା ନିଆଯାଉଛି। ଆୟୋଗ ନିଜେ ଗୋବରରୁ ଉତ୍ପାଦ ସହ ଲୋକଙ୍କୁ ତାଲିମ ଦେଉଛନ୍ତି ଏବଂ ସେମାନଙ୍କୁ ଏହି କାର୍ୟ୍ୟ କରିବାକୁ ଉତ୍ସାହିତ କରୁଛନ୍ତି। ଏହି କାର୍ୟ୍ୟରେ ଆୟୋଗ ମଧ୍ୟ ସଫଳତା ହାସଲ କରୁଛି।