ବାହାନଗା ଟ୍ରେନ ଟ୍ରାଜେଡ଼ି ଘଟଣା; ଓଡ଼ିଶା ଆସି ଆହତଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ବାଲେଶ୍ୱର ବାହାନଗା ଟ୍ରେନ ଟ୍ରାଜେଡ଼ି ଘଟଣାରେ ମୃତକଙ୍କ ସଂଖ୍ୟା ୩୦୦ ପାର ହୋଇଥିବାବେଳେ ୧୦୦୦ରୁ ଉର୍ଦ୍ଧ ଆହତ ଚିକିତ୍ସିତ ହେଉଛନ୍ତି । ଉଦ୍ଧାର କାର୍ଯ୍ୟ ଆହୁରି ୩ ଘଣ୍ଟା ଚାଲିବ ବୋଲି ସୂଚନା ରହିଥିବା ବେଳେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି । ଦୁର୍ଘଟଣା ନେଇ ସାରା ଦେଶ ଅବଗତ ଥିବା ବେଳେ ସେପଟେ ସ୍ଥିତିର ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ ବୋଲି ଜଣାପଡିଛି। ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ଦୁର୍ଘଟଣାସ୍ଥଳ ବାଲେଶ୍ୱର ଜିଲ୍ଲା ବାହନଗା ଯିବେ ଓ ଏହାପରେ କଟକ ଝଉଈ ମେଡିକାଲ୍ରେ ଆହତ ରେଳଯାତ୍ରୀଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମ ସଂସ୍ଥା ଟୁଇଟ୍ କରି ଏହି ସୂଚନା ଦେଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରେନ୍ ଦୁର୍ଘଟଣା ନେଇ ସମୀକ୍ଷା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ।ଏହା ପରେ ଓଡିଶା ଆସିବାର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ୧୨ଟାରେ ଦିଲ୍ଲୀରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦରରେ ୨.୩୦ ରେ ପହଞ୍ଚିବେ । ହେଲିକପ୍ଟରରେ ସିଧାସଳଖ ଯିବେ ଘଟଣାସ୍ଥଳକୁ ଯିବେ। ତା ପରେ ପୁଣି ଭୁବନେଶ୍ୱର ଫେରିବା ପରେ କଟକ ଯିବାର ପ୍ରାରମ୍ଭିକ ସୂଚନା ମିଳିଛି ।କିପରି ଏହି ଟ୍ରେନ୍ ଦୁର୍ଘଟଣା ହେଲା, କାହାର ତ୍ରୁଟି ଯୋଗୁ ଅକାଳରେ ଏତେ ଜୀବନ ଚାଲିଗଲା ତାହାର ତର୍ଜମା କରିବେ ପ୍ରଧାନମନ୍ତ୍ରୀ। ଆଜି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ରହିବେ। ଏଥିସହ ଏନଡିଆରଏଫ ଡିଜି ବି ଏଡି ହାଇ ପ୍ରୋଫାଇଲ ବୈଠକରେ ଉପସ୍ଥିତ ରହିବେ ବୋଲି ଜଣାଯାଇଛି।ପିଏମଓ ପକ୍ଷରୁ ସେମାନଙ୍କ ସହ ଆଲୋଚନା କରାଯାଇ ରେସକ୍ୟୁ ଅପରେସନକୁ ଜୋରଦାର କରିବାକୁ କୁହାଯାଇଛି। ତେବେ ମୋଦୀଙ୍କ ଅଚାନକ ଓଡ଼ିଶା ଗସ୍ତ ପୂର୍ବରୁ ରେଳମନ୍ତ୍ରୀ ଅଶ୍ବିନୀ ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁର୍ଘଟଣାସ୍ଥଳ ଓ ଗୁରୁତରମାନଙ୍କୁ ଭେଟିଛନ୍ତି।