(ଦୀପକ ମିଶ୍ର / ଉଦଳା ): ରାଜ୍ୟ ସରକାର ସ୍ୱାସ୍ଥ୍ୟ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି ବୋଲି ନାରାବାଜି ଦିଆଯାଉଛି । ହେଲେ ଏହପରି ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ ଥିବା ଶରତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଏଠାରେ ଫାର୍ମାସିଷ୍ଟଙ୍କ ଦ୍ୱାରା ଚାଲିଛି ଡ଼ାକ୍ତରଖାନା । ଡ଼ାକ୍ତର ପଦବୀ ଫାଙ୍କା ପଡ଼ିଥିବା ବେଳେ ଜଣେ ଫାର୍ମାସିଷ୍ଟ ଓ ୩ ଜଣ ଷ୍ଟାଫ୍ ନର୍ସଙ୍କ ଦ୍ୱାରା ଚାଲିଛି ରୋଗୀସେବା । ଭେଷଜ ବିଭାଗଠାରୁ ଆରମ୍ଭ କରି ଗୁରୁତ୍ୱପ୍ରୂ୍ଣ ଶିଶୁ ଓ ସ୍ତ୍ରୀ ଏବଂ ପ୍ରସୂତି ବିଭାଗର ରୋଗୀଙ୍କୁ ଚିକତ୍ସା କରୁଛନ୍ତି ଫାର୍ମାସିଷ୍ଟ । ଅନ୍ୟପଟେ ଯନ୍ତ୍ରାଂଶ ଖତ ଖାଇବାରେ ଲାଗିଛି । ୯ ଗୋଟି ପଂଚାୟତର ଲୋକେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି । ଏନେଇ ଜନସାଧାରଣ ମେଡ଼ିକାଲ ସମସ୍ୟା ବାବଦରେ ରାସ୍ତାରୋକଠାରୁ ଆରମ୍ଭ କରି ଧାରଣା ପର୍ଯ୍ୟନ୍ତ ବିକ୍ଷୋଭ କରିଆସୁଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳି ପାରିନାହିଁ । ଆଗକୁ ନିର୍ବାଚନ ଥିବାବେଳେ ସ୍ଥାନୀୟ ଅଂଚଳରେ ଏହି ଦାବୀ ଯୋର ଧରିବ ବୋଲି ଜଣାପଡ଼ିଛି ।