ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି)– ବର୍ଷାରେ ବେହାଲ ହୋଇଛି ମାୟାନଗରୀ ମୁମ୍ବାଇ । ପ୍ରବଳ ବର୍ଷା ଯୋଗୁଁ ଆଜି ମୁମ୍ବାଇ ପୂରା ଜଳପୂର୍ଣ୍ଣ ହୋଇଯାଇଛି । ଏହାସହ ମୁମ୍ବାଇରେ ଆହୁରି ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏନେଇ ମୁମ୍ବାଇ ସରକାର ପକ୍ଷରୁ ଆଜି ସରକାରୀ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରାଯାଇଛି । ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ମୁମ୍ବାଇ, ଥାନେ ଓ କୋଙ୍କଣରେ ଥିବା ସମସ୍ତ ସରକାରୀ ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରାଯାଇଛି । ବିଏମସି ଅଧିନରେ ଥିବା ୧୪୫ ସ୍କୁଲକୁ ଅସ୍ଥାୟୀ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ମୁମ୍ବାଇରେ ଲଗାଣ ବର୍ଷା ଯୋଗୁଁ ବହୁ ଜନବସତି ଆଡେ ପାଣି ମାଡି ଯାଇଛି । ବହୁ ବସ୍ତି ଅଂଚଳରେ ପାଣି ପଶି ଥିବାରୁ ସେମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ବସ୍ତି ଅଂଚଳ ବ୍ୟତୀତ ବହୁ ସହରାଞ୍ଚଳ ରାସ୍ତାରେ ମଧ୍ୟ ଅଣ୍ଟାଏ ପର୍ଯ୍ୟନ୍ତ ପାଣି ଚାଲୁଥିବା ଦେଖାଯାଇଛି । ସଡକ ପଥ ସହ ରେଳ ପଥ ଓ ବିମାନ ସେବା ପ୍ରଭାବିତ ହୋଇଛି । ପ୍ରଭାବିତ ଅଂଚଳରେ ନୌସେନା ଯବାନମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।